
ଖୋର୍ଦ୍ଧା/ବେଗୁନିଆ: ଏକ ବନ୍ଦ କୋଠରିରେ ବୃଦ୍ଧ ବାପ ଓ ପୁଅକୁ ଉଲଗ୍ନ କରି ପିଟୁଥିଲେ। ଜଣେ କି ଦୁଇ ଜଣ ନୁହନ୍ତି, ୭/୮ ଜଣ ଯୁବକ ଅତି ନିର୍ଦ୍ଦୟ ଭାବେ ଲାଠିରେ ମାଡ଼ ମାରୁଥିଲେ। ଆକ୍ରମଣକାରୀଙ୍କ ଗୋଡ଼ ଧରି ବାପପୁଅ ଯେତେ ନେହୁରା ହେଲେ ବି କେହି ଶୁଣୁ ନଥିଲେ….ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଏହି ଦୃଶ୍ୟ କୌଣସି ଫିଲ୍ମ କିମ୍ବା ଟେଲି ସିରିଏଲ୍ ଅଂଶ ନଥିଲା, ଅବିଭକ୍ତ ପୁରୀ ଜିଲ୍ଲାରେ ସକ୍ରିୟ ‘ମାନବବାଦୀ ସଂଗଠନ’ର ତାଲିବାନୀ ଶାସନର ଏକ ନଗ୍ନ ନମୁନା ଥିଲା। ଏହି ନିର୍ଯାତନାର ଶିକାର ହୋଇଥିଲେ ବେଗୁନିଆ ବ୍ଲକ୍ ମାନପୁର ଗ୍ରାମର ମାଗୁଣୀ ନାୟକ ଓ ତାଙ୍କ ପୁଅ। ସଂଗଠନରେ ଯୋଗ ନଦେବାରୁ କଙ୍ଗାରୁ କୋର୍ଟରେ ଉଭୟଙ୍କୁ ଏହି ଦଣ୍ଡ ମିଳିଛି। ସଂଗଠନ ଆତଙ୍କ ଏଭଳି ଖେଳିଯାଇଛି ଯେ ଘଟଣାର ୪୦ ଦିନ ପରେ ବି ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ।
ଚଳିତ ମାସ ୨ ତାରିଖ ରାତିରେ ବେଗୁନିଆ ବ୍ଲକ୍ ଅଭିମାନପୁର (ମାନପୁର)ରେ ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହେବା ପରେ ପିଟିପିଟି ହତ୍ୟା କରି ପୋଡ଼ି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ‘ମାନବବାଦୀ ସଂଗଠନ’ର ୭ଜଣଙ୍କୁ ଗିରଫ କରିଥିଲା। ଏହାର ୨୫ ଦିନ ପରେ ଆଜି ପୁଣି ସେହି ଗାଁର ଏକ ଅତି ଅମାନବୀୟ ଘଟଣାର ଭିଡ଼ିଓ ଭାଇରାଲ୍ ହୋଇଛି। ୨ ମିନିଟ ୩୦ ସେକେଣ୍ତର ଏହି ଭିଡ଼ିଓରେ ଏକ ପ୍ରକୋଷ୍ଠରେ ଜଣେ ୬୦-୬୫ ବର୍ଷୀୟ ବୃଦ୍ଧ ଓ ତାଙ୍କ ପୁଅକୁ ଉଲଗ୍ନ କରି ୭-୮ଜଣ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡ଼ିଓ ସମ୍ପର୍କରେ ଅନୁସନ୍ଧାନ କରିବାରୁ ଜଣାଯାଇଛି ଯେ ଉକ୍ତ ଭିଡ଼ିଓଟି ୪୦-୪୫ ଦିନ ପୂର୍ବର। ଏହାପରେ ମାଡ଼ ଖାଇଥିବା ବୃଦ୍ଧ ମାଗୁଣୀ ନାୟକ ସହ ଯୋଗାଯୋଗ କରାଯାଇଥିଲା। ସେ ଏହି ଘଟଣାର ଠିକ୍ ତାରିଖ ମନେ ପକାଇପାରିନଥିଲେ। ତେବେ ତାଙ୍କ କହିବା କଥା, ମାନବବାଦୀ ସଂଗଠନର ସଦସ୍ୟମାନେ ତାଙ୍କୁ ଓ ତାଙ୍କ ପୁଅଙ୍କୁ ପ୍ରାୟ ସକାଳ ୧୦ଟାରେ ଘରୁ ଡାକି ନେଲେ। କୋଠଘରଠାରେ ୧୦-୧୨ଜଣ ଯୁବକ ଥିଲେ। ସେମାନଙ୍କୁ ପ୍ରଥମେ ପିନ୍ଧିଥିବା ପୋଷାକ ଦେହରୁ ଓହ୍ଲାଇ ଆଣ୍ଠେଇ ବସିବାକୁ କହିଲେ। ତା’ପରେ ସଂଗଠନ ବିରୋଧରେ କାମ କରୁଛୁ ବୋଲି କହି ନିସ୍ତୁକ ପିଟିବାରେ ଲାଗିଲେ। ପ୍ରତିବାଦ କିମ୍ବା କିଛି କହିବାର ସୁଯୋଗ ମଧ୍ୟ ନଥିଲା।
ଉଲଗ୍ନ କରି ବାପ-ପୁଅଙ୍କୁ ନିସ୍ତୁକ ପିଟିଲେ
ସଂଗଠନରେ ଯୋଗ ନ ଦେବାରୁ ଆକ୍ରମଣ
ପୁଲିସ କହିଲା ଅଭିଯୋଗ ହୋଇନି
ଭିଡିଓ ଭାଇରାଲ୍ ହେଲା ପରେ ହଇଚଇ
ସେମାନେ କହୁଥିଲେ, ତୁମମାନଙ୍କୁ ଏଠାରେ ମାରି ପକାଇଦେଲେ ମଧ୍ୟ କେହି ଆମର କିଛି କରିପାରିବ ନାହିଁ। ଏନେଇ କାହିଁକି ପୁଲିସକୁ ଅଭିଯୋଗ କଲନାହିଁ ବୋଲି ପଚାରିବାରେ ସେ କହିଥିଲେ ଯେ ସଂଗଠନ କଥାରେ ପଡ଼ି କିଛି ମାସ ପୂର୍ବେ ସେମାନେ ଏକ ଗଣ୍ତଗୋଳରେ ଜଡ଼ିତ ହୋଇଥିଲେ। ଏହି ଘଟଣାରେ ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରହିଛି। ଏଣୁ ସେ ଭୟରେ ପୁଲିସ ପାଖକୁ ଗଲେନାହିଁ। ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ପୁଲିସକୁ ହାତ କରିଥିବାରୁ ସଂଗଠନ ବିରୋଧରେ କୌଣସି ପଦକ୍ଷେପ ହେଉନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଇ ଘଟଣା ପ୍ରଘଟ ହୋଇଥିବାରୁ ତାଙ୍କ ଓ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ରହିଛି ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ପଦକ୍ଷେପ ଓ ତାଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।
ଅପରପକ୍ଷରେ ଏନେଇ ଖୋର୍ଦ୍ଧା ଏସ୍ପି ରାଜ କିଶୋର ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସଂଗଠନ ବିରୋଧରେ କିମ୍ବା ଏହି ଆକ୍ରମଣ ଘଟଣାରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତଥାପି ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ। ତେବେ ଆଜି ଅପରାହ୍ଣରେ ଏନେଇ ବେଗୁନିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଥାନା କେସ୍ ନଂ-୧୬୬/୨୧ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ପୁଲିସ
ଅଗଷ୍ଟ ୨ ତାରିଖରେ ମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁ ପଛରେ ମାନବବାଦୀ ସଂଗଠନର ପ୍ରଚ୍ଛନ୍ନ ହାତ ରହିଥିଲା। ଏହି ସଂଗଠନର ସ୍ବପ୍ନେଶ୍ବର ନାୟକ ରାଜନୈତିକ ପ୍ରଭାବ ବିସ୍ତାର ପାଇଁ ନିଜ ସମର୍ଥକଙ୍କ ସହାୟତାରେ ସତ୍ୟବ୍ରତଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ଜଙ୍ଗଲ ଭିତରେ ଶବକୁ ପୋଡ଼ି ଦେଇଥିଲେ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଆଇନଜୀବୀ ତଥା ସଂଗଠନର ମୁଖ୍ୟ ମାନସ ଦାସଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୋଗରୁ ତାଙ୍କ ନାମ ଆଶ୍ଚର୍ଯ୍ୟଜନକ ଭାବେ କଟି ଯାଇଥିଲା। ପୁଲିସ ସ୍ଥାନୀୟ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସ୍ବପ୍ନେଶ୍ବର ନାୟକଙ୍କୁ ଗିରଫ କରିଥିଲେ। ବିଭିନ୍ନ ବେଆଇନ କାର୍ଯ୍ୟ ପାଇଁ ଏକାଧିକ ସଂଗଠନ ପକ୍ଷରୁ ଏସ୍ପିଙ୍କୁ ମାନବବାଦୀ ସଂଗଠନ ଓ ଏହାର ନେତା ମାନସ ଦାସଙ୍କ ବିରୋଧରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା। ସଂଗଠନର କାମ ସନ୍ଦିଗ୍ଧ ରହିଥିବାରୁ ଏନେଇ ତଦନ୍ତ କରିବାକୁ ଦାବି କରାଯାଇଥିଲା। ସେହି ସମୟରେ ଏସ୍ପି କହିଥିଲେ ଯେ ସଂଗଠନ ସମ୍ପର୍କରେ ତଦନ୍ତ କରିବା ପୁଲିସର କାମ ନୁହେଁ। କେବଳ ଏତିକି ନୁହେଁ, ୨୦୧୦ରେ ଚୁଡ଼ିପାଳଙ୍ଗ ଗାଁରେ ଗଣେଶ ପୂଜା ସମୟରେ ଏହି ସଂଗଠନର ସଦସ୍ୟମାନେ ଆସି ସେହି ଗାଁର ଗଣେଶ ପୂଜା ମଣ୍ତପ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଚୁଡ଼ିପାଳଙ୍ଗ ଗାଁର ଅନେକ ଆହତ ହୋଇଥିଲେ।
ଏହି ଘଟଣାରେ ତତ୍କାଳୀନ ବାଘମାରି ଫାଣ୍ତିରେ ସଂଗଠନ ବିରୋଧରେ ମାମଲା ରୁଜୁ ହେବା ସହ କେତେକଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ, ସଂଗଠନର ସଦସ୍ୟମାନେ ସେହି ଗାଁର ନାମ ‘ଚୁଡ଼ିପାଳଙ୍ଗ’କୁ ବଦଳାଇ ମନରେଗା କାର୍ଯ୍ୟ ଫଳକରେ ଏକ ଅସଭ୍ୟ ନାମ ଲେଖିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଂଗଠନ ଓ ଏହାର ମୁଖିଆ ମାନସ ଦାସ ବିରୋଧରେ ଏଭଳି ଏକାଧିକ ଅଭିଯୋଗ ରହିଥିଲେ ମଧ୍ୟ ପୁଲିସ କିମ୍ବା ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି। ମାନସ ଦାସ ପଛରେ କୌଣସି କ୍ଷମତାଶାଳୀ ରାଜନୈତିକ ଦଳ ଓ ନେତାର ପୃଷ୍ଠପୋଷକ ରହିଥିବାରୁ ପୁଲିସ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଆଲୋଚନା ହେଉଛି।
The post ନାଁ‘ମାନବବାଦୀ ସଂଗଠନ’ ଅମାନବୀୟ ନିର୍ଯାତନା first appeared on Sambad.from ଜିଲ୍ଲା | Sambad https://ift.tt/3jkZHzN
0 Comments