କଣିହାଁ : ଖଣି ଖନନ ଓ ବିସ୍ଥାପନ ସମସ୍ୟାକୁ ନେଇ ପୁଣି ଅଶାନ୍ତ ହୋଇଛି କଣିହାଁ। କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ  ଉପଯୁକ୍ତ ଥଇଥାନ ନକରି ଖଣି ସଂପ୍ରସାରଣ କାମ ଆରମ୍ଭ କରିବାକୁ ଜରଡ଼ା ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି।

ଗ୍ରାମବାସୀଙ୍କୁ ବିସ୍ଥାପିତ ନ କରି ଖଣି କର୍ତ୍ତୃପକ୍ଷ  ବୁଧବାର ସକାଳେ ପୁଲିସ ଉପସ୍ଥିତିରେ ଗାଁ ପାଖକୁ ଲାଗିରହିଥିବା ସେଫଟି ଜୋନ ଏରିଆ ଖୋଳୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରୁ ୨୩ ଜଣକୁ ଉଠାଇଆଣି  ସେମାନଙ୍କ ନାମରେ ବିଭିନ୍ନ ମାମଲା ରୁଜୁ କରି  କୋର୍ଟଚାଲାଣ କରିଥିଲା। ଏହାକୁ ନେଇ ଉତ୍ତେଜନା ବଢିଥିଲା। ଗିରଫଦାରି ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ବୁଧବାର କଣିହାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ଅଡ଼ି ବସିଥିଲେ। ଶହ ଶହ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେବାରୁ ବହୁ ପୁଲିସ ଅଧିକାରୀ ଓ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଅନୁଗୁଳ ଅତିରିକ୍ତ ଏସ୍‌ପି ଅନିଲ ପ୍ରଧାନ, ପାଲଲହଡ଼ା ଏସଡିପିଓ ସୁମନ ରଞ୍ଜିତା ସିଂହଙ୍କ ସମେତ  କଣିହାଁ, ଏନ୍‌ଟିପିସି, ରେଙ୍ଗାଳି, ସମଲ, ତାଳଚେର, କୋଲିୟାରୀ ଥାନା ଅଧିକାରୀ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏପଟେ ବିଳମ୍ବିତ ସନ୍ଧ୍ୟାରେ ପ୍ରଶାସନ, ପୁଲିସ ଉପସ୍ଥିତି ଗ୍ରାମବାସୀ ଓ ଖଣି କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲା। ଏବେ ଖଣି ସମ୍ପ୍ରସାରଣ ବନ୍ଦ ରଖିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଥାନା ସମ୍ମୁଖରୁ ଗ୍ରାମବାସୀ ହଟିଛନ୍ତି।

ଜରଡ଼ା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କଣିହାଁ କୋଇଲାଖଣି ଦ୍ୱାରା ଜରଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। କୋଇଲାଖଣି କର୍ତ୍ତୃପକ୍ଷ ୨୬ ବର୍ଷ ପୂର୍ବେ ଜରଡ଼ା ଗ୍ରାମର ଜମିକୁ ଅଧିଗ୍ରହଣ କରିଥିଲେ। ଜମି ଅଧିଗ୍ରହଣ ହେବା ପରେ ଗ୍ରାମର କିଛି ଲୋକ ନିଯୁକ୍ତି ପାଇଥିବାବେଳେ ଆଉ କିଛି ପ୍ରଭାବିତ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳିନି। ଜରଡ଼ା ଗାଁର କିଛି ଦୂରରେ କୋଇଲା ଖନନ ଚାଲିଛି। ଏମିତି ଅନେକ ସମସ୍ୟାରେ ଛନ୍ଦି ହୋଇପଡିଥିବା ଜରଡ଼ା ଗ୍ରାମବାସୀଙ୍କୁ  ବିସ୍ଥାପିତ କରି ସେମାନଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ପ୍ରଶାସନ ଓ କୋଇଲାଖଣି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

The post ବିସ୍ଥାପିତ ନ କରି ଖଣି ସଂପ୍ରସାରଣକୁ ବିରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3st2F8h