
କଟକ: ରାଜ୍ୟରେ ବର୍ଷକୁ ପ୍ରାୟ ୮୦ ପ୍ରତିଶତ ଅଭିଯୁକ୍ତ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ଗୁଣାତ୍ମକ ତଦନ୍ତ ଅଭାବରୁ ହିଁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଗୋଟିଏ ପଟେ ରାଜ୍ୟରେ ପୁଲିସ ବିଭାଗରେ ଅଫିସର ପଦବି ଖାଲିପଡ଼ିଥିବା ବେଳେ ଏହି ଅଭାବ ପୂରଣ କରିବା ପାଇଁ ଉଭୟ ହାବିଲଦାର ଓ କନଷ୍ଟେବଳଙ୍କୁ ତଦନ୍ତ କ୍ଷମତା ହସ୍ତାନ୍ତର ନିଷ୍ପତ୍ତି ନେଇଥିଲା ବିଭାଗ। କିନ୍ତୁ ଏହି ନିଷ୍ପତ୍ତିକୁ ୨ ବର୍ଷ ପୂରି ଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରିଲାନାହିଁ। ଅନ୍ୟପଟେ ଦୀର୍ଘ ୨୦ ବର୍ଷ ପରେ ଏଏସଆଇ ପଦୋନ୍ନତି ବୋର୍ଡ ବସାଇଥିବା ପୁଲିସ ବିଭାଗ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗକୁ ନେଇ ଏବେ କାଠଗଡ଼ାରେ ଛିଡ଼ା ହୋଇଛି। ଏଭଳି ସ୍ଥିତିରେ ଥାନାସ୍ତରରେ ବିଭିନ୍ନ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ପୁଲିସ ବିଭାଗରେ ତଦନ୍ତ ପ୍ରକ୍ରିୟାରେ ସିଧାସଳଖ ସମ୍ପର୍କ ରଖୁଥିବା ଇନସ୍ପେକ୍ଟରରୁ ଏଏସ୍ଆଇ ପାହ୍ୟା ପର୍ଯ୍ୟନ୍ତ ଅଧିକାରୀଙ୍କ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟାରୁ ୨୮୯୨ ପଦ ଏବେ ଖାଲି ପଡ଼ିଛି।
ପୁଲିସ ବିଭାଗର ତଥ୍ୟ ଅନୁଯାୟୀ ୨୦୧୯ରେ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ୨୧.୫ ପ୍ରତିଶତ ଥିବାବେଳେ ୨୦୧୮ରେ ୫.୭, ୨୦୧୭ରେ ୯.୩, ୨୦୧୬ରେ ୧୦.୪, ୨୦୧୫ରେ ୯.୫ ପ୍ରତିଶତ ରହିଥିଲା। ୨୦୧୯ରେ ଯଦିଓ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଥିବା କୁହାଯାଉଛି । କିନ୍ତୁ ୮୦ ପ୍ରତିଶତ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ଏହାକୁ ଲକ୍ଷ୍ୟରେ ରଖି ଗୁଣାତ୍ମକ ତଦନ୍ତ କରିବା କ୍ଷେତ୍ରରେ ହାବିଲଦାର ଓ କନଷ୍ଟେବଳମାନେ ଅଫିସରଙ୍କୁ ସହଯୋଗ କରିବା ପାଇଁ ୨୦୧୮ ଜାନୁଆରି ୨୭ ତାରିଖରେ ପୁଲିସ ବିଭାଗ ଗୃହ ବିଭାଗକୁ ସୁପାରିସ କରିଥିଲା। ୨୦୧୯ ଜାନୁଆରି ପ୍ରଥମ ସପ୍ତାହରେ ଗୃହ ବିଭାଗ ଏଭଳି ପ୍ରସ୍ତାବରେ ମୋହର ମାରିଥିଲା। ସିଆର୍ପିସି ଧାରା ୧୫୭ ବଳରେ ରାଜ୍ୟରେ ଥାନା ସ୍ତରରେ କାର୍ଯ୍ୟ କରୁଥିବା ସିଆଇ ହାବିଲ୍ଦାର ଏବ˚ କନ୍ଷ୍ଟେବଳଙ୍କୁ ତଦନ୍ତ ଅଧିକାର ପ୍ରଦାନ କରାଯାଇଥିଲା।
ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ତବିଧାନ ବ୍ୟବସ୍ଥା ଥିବା ଅପରାଧିକ ମାମଲାର ତଦନ୍ତ ଦାୟିତ୍ବ ସେମାନଙ୍କୁ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମୋଟର ଚୋରି ମାମଲା, ଅବକାରୀ ମାମଲାରେ ସେମାନଙ୍କୁ ତଦନ୍ତ ଭାର ପ୍ରଦାନ କରାଯିବ। ହାବିଲଦାର ଓ କନଷ୍ଟେବଳମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ସପ୍ତାହ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନି˚ ଇନ୍ଷ୍ଟିଚ୍ୟୁଟ୍ରେ ଟ୍ରେନି˚ ଦିଆଯିବ। ପରେ ଥାନା ସ୍ତରରେ ୪୫ ଦିନ ଟ୍ରେନି˚ ଏବଂ ଟ୍ରେନି˚ ଶେଷ ହେବା ପରେ ପୁଲିସ ଡିଜି କିମ୍ବା ଆଇଜିଙ୍କ ପକ୍ଷରୁ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ ସଂପର୍କିତ ନିଷ୍ପତ୍ତି ନିଜେ ପୁଲିସ ବିଭାଗ ଭୁଲିଗଲାଣି। ଡାକ୍ତର ଆର.ପି. ଶର୍ମା ପୁଲିସ ଡିଜି ଥିବା ସମୟରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ବର୍ତ୍ତମାନ ଏହା ଅପ୍ରାସଂଗିକ ହୋଇଯାଇଥିବା ମନେହୁଏ। ଜିଲ୍ଲାସ୍ତରର ହାବିଲଦାର ଓ କନଷ୍ଟେବଳଙ୍କୁ ୨୦୧୯ ଶେଷ ସୁଦ୍ଧା ଏସପି/ଡିସିପିଙ୍କ ପକ୍ଷରୁ ଏଥିପାଇଁ ସମ୍ମତିପତ୍ର ମଗାଯାଇଥିଲା। କର୍ମଚାରୀମାନେ ସମ୍ମତିପତ୍ର ଦେଇଥିଲେ ସୁଦ୍ଧା ପରବର୍ତ୍ତି ପ୍ରକ୍ରିୟା ଆରମ୍ଭ ହେଲା ନାହିଁ।
ଏହି ନିଷ୍ପତ୍ତିକୁ ଝୁଲାଇ ରଖି ୨୦୨୦ ଡିସେମ୍ବରରେ ପୁଲିସ ବିଭାଗ ଏଏସଆଇ ବୋର୍ଡ ବସାଇଲା। ଦୀର୍ଘ ୨୦ ବର୍ଷ ପରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୋର୍ଡ ବସିଥିଲା। ମୋଟ ୪ ହଜାର ୫୦୦ କନଷ୍ଟେବଳ ଏଥିପାଇଁ ଆବେଦନ କରିଥିଲେ। ୨୦୦ ମାର୍କର ହୋଇଥିବା ପରୀକ୍ଷାରେ ୨୭ ଶହ ପ୍ରାର୍ଥୀ କୃତକାର୍ଯ୍ୟ ହେଲେ। ୧୧ଶହ ପାଖାପାଖି ପ୍ରାର୍ଥୀ ୫୦ ପ୍ରତିଶତରୁ କମ୍ ମାର୍କ ରଖିଥିଲେ ସୁଦ୍ଧା ବରିଷ୍ଠତା ଆଧାରରେ ଏମାନଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ମିଳିଲା। ଅଥଚ ଅବଶିଷ୍ଟ ୧୬ଶହ ପ୍ରାର୍ଥୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ ବି କନିଷ୍ଠତା ଆଧାରରେ ସେମାନଙ୍କୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ କରାଗଲା ନାହିଁ। ବାଦ୍ ପଡ଼ିଥିବା ୧୬ ଶହ ପ୍ରାର୍ଥୀଙ୍କୁ ପୁଣି ନୂଆ ବୋର୍ଡ ବସିଲେ ପୁନଃ ପରୀକ୍ଷା କରି ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏଭଳି ନିଷ୍ପତ୍ତି ବିରୋଧରେ ପଦୋନ୍ନତି ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା କର୍ମଚାରୀ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି।
The post ନିଷ୍ପତ୍ତି ଭୁଲିଗଲା ପୁଲିସ ବିଭାଗ: ନିର୍ଦ୍ଦୋଷରେ ଖସିଯାଉଛନ୍ତି ୮୦ ପ୍ରତିଶତ ଅଭିଯୁକ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3DsoUAv
0 Comments