ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ କାର୍ଯ୍ୟ ଅବଧି ମାତ୍ର ୨ ବର୍ଷ। ଏହି କ୍ରମରେ ୨୦୧୯ ଅଗଷ୍ଟ ୨୮ରେ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ବିନୟ କୁମାର ଟପ୍ପୋଙ୍କ ଦାୟିତ୍ବକୁ ୨ ବର୍ଷ ପୂରିଛି। ଅର୍ଥାତ ଆଜି ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହିସ୍ଥିତିରେ ପରବର୍ତ୍ତୀ ୨ ବର୍ଷ ପାଇଁ ବିନୟଙ୍କୁ ପୁଣି ଦାୟିତ୍ବ ଦିଆଯିବ ନା ନବୀନ ସରକାର ଆଉ କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ସେମାନଙ୍କ ସର୍ବବିଧ ବିକାଶ ପାଇଁ ଓଡ଼ିଶା ସରକାର ଗତ ୨୦୧୮ ମାର୍ଚ୍ଚରେ ସୁନ୍ଦରଗଡ଼ ସମେତ ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପ୍ରତିଷ୍ଠା କଲେ। ୯ଟି ଜିଲ୍ଲାର ୧୧୭ଟି ବ୍ଲକ ୨୦୨୨ ଗ୍ରାମପଞ୍ଚାୟତର ୧୮୬୮୭ ଗ୍ରାମରେ ରହୁଥିବା ୧୪.୦୫ ଲକ୍ଷ ଆଦିବାସୀ ଏହାର ସିଧାସଳଖ ଲାଭ ପାଇବେ ବୋଲି ସରକାର ଘୋଷଣା କଲେ। ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ପୂର୍ବ ପ୍ରଶାସକ ତଥା ବରିଷ୍ଠ ବିଜେଡି ନେତା ସନ୍ତୋଷ ଅମାତଙ୍କୁ ନିଯୁକ୍ତ କଲେ ସରକାର। ୧୧ ମାସ ପରେ ୨୦୧୯ ଫେବ୍ରୁଆରି ୩ରେ ଶ୍ରୀ ଅମାତ ଇସ୍ତଫା ଦେବା ପରେ ପୂର୍ବରୁ ପରିଷଦ ଉପାଧ୍ୟକ୍ଷା ଥିବା ତତ୍କାଳୀନ ବିଜେଡି ନେତ୍ରୀ କୁସୁମ ଟେଟେ ଅଧ୍ୟକ୍ଷ ପଦ ସମ୍ଭାଳିଲେ। ଏକ ବିବାଦୀୟ ପରିସ୍ଥିତିରେ ଶ୍ରୀମତୀ ଟେଟେ ଅଧ୍ୟକ୍ଷ ପଦ ସହ ବିଜେଡି ଦଳ ଛାଡ଼ିବା ପରେ ୨୦୧୯ ଅଗଷ୍ଟ ୨୮ରେ ବିଜେଡିର ଯୁବ ଚେହେରା ବିନୟ କୁମାର ଟପ୍ପୋଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦେଲେ ନବୀନ।

ଆଜି ବିନୟଙ୍କ ୨ ବର୍ଷର କାର୍ଯ୍ୟକାଳ ସରିଛି। ନିୟମ ଅନୁସାରେ ଅଗଷ୍ଟ ୨୮ରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆସନ ଖାଲି ରହିବ। ଏସ୍ଥିତିରେ ବିନୟଙ୍କୁ ପୁଣି ଦାୟିତ୍ବ ମିଳିବ ନା ଅଧ୍ୟକ୍ଷ ଚୌକିରେ ଆଉ କେହି ନୂଆ ଚେହେରା ବସିବେ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିନୟଙ୍କ ନାମରେ ସେପରି କିଛି ବିଶେଷ ଅଭିଯୋଗ ନଥିଲା। ଯଦିଓ ପରିଷଦ ଅଧ୍ୟକ୍ଷ ଥାଇ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ଦେବାକୁ ନେଇ ଦଳରେ ଚାପା ଅସନ୍ତୋଷ ଦେଖା ଦେଇଥିଲା। ଏହା ଜଣେ ବ୍ୟକ୍ତି, ଦୁଇଟି ପଦବି ନିୟମର ଉଲ୍ଲଂଘନ କହି ପ୍ରଥମେ ପ୍ରଥମେ ଦଳର କିଛି ନେତା ସାମାନ୍ୟ ବିରୋଧ କରିଥିଲେ। ପରେ କିନ୍ତୁ ସବୁ ଥଣ୍ଡା ପଡ଼ି ଯାଇଥିଲା। ଦଳ ପୁଣି ଥରେ ତାଙ୍କୁ ଭରସା କରିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଅଧ୍ୟକ୍ଷ ପଦବି ପାଇଁ ସରଳ ଆଦିବାସୀ ଚେହେରା ତଥା ଦଳର ବରିଷ୍ଠ ନେତା ମଙ୍ଗଳା କିସାନ ଓ ବିଜେଡି ରାଜ୍ୟ କମିଟିରେ ଗ୍ରହଣୀୟ ହୋଇଥିବା ଯୁବ ଚେହେରା ଯୋଗେଶ ସିଂଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ଓ ଭୋଟ ରାଜନୀତିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଏକ ବିଶେଷ ଭୂମିକା ଥିବାରୁ ନବୀନ କାହା ନାମରେ ସ୍ବାକ୍ଷର କରିବେ, ତାହା ଦେଖିବାକୁ ବାକି ରହିଲା।

The post ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ, ବିନୟ ରହିବେ ନା ଆଉ କିଏ ! first appeared on Sambad.

from ଜିଲ୍ଲା | Sambad https://ift.tt/3jnFR6X