
ଯାଜପୁର: ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀ ନେଇ ଏବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି। ବିଛାଖଣ୍ଡିର କଳାପଥର କେଳେଙ୍କାରୀ ନେଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ତଦନ୍ତ କରୁଛି। ସେହିପରି ଆରୁହା ପାହାଡ଼ କଳାପଥର କେଳେଙ୍କାରୀ ନେଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ଛାନଭିନ୍ କରୁଛନ୍ତି। ଆରୁହା ପାହାଡ଼ କେଳେଙ୍କାରୀ ସଂପର୍କରେ ତଦନ୍ତକାରୀ ଅଧିକାରୀ ଘନଘନ ଘଟଣାସ୍ଥଳ ଏବଂ ତହସିଲ ଗସ୍ତ କରି ପ୍ରମାଣ ଯୋଗାଡ଼ କରିବାରେ ଲାଗିଛନ୍ତି।
ତେବେ, ଆରୁହା ପାହାଡ଼ ମାମଲାରେ ଅଜବ ଚିତ୍ର ଦେଖିବାକୁ ମିଳୁଛି। ଖାଦାନ ନାମକୁ ମାତ୍ର ଖୋଳାଯାଇଥିବା ବେଳେ ତହସିଲ ବହୁଗୁଣ ଅଧିକ ରାଜସ୍ବ ଆଦାୟ କରିଛି। ଯାହାକି, ତଦନ୍ତକାରୀ ଦଳକୁ ବିସ୍ମିତ କରିଥିବାବେଳେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ହରଡ଼ଘଣାରେ ପକାଇ ଦେଇଛି। ଖାଦାନ ଖୋଳା ନଯାଇ ଲକ୍ଷ ଲକ୍ଷ ଟଙ୍କା ତହସିଲ ଆଦାୟ କଲା କିପରି? କେଉଁ ପଥର ଉପରେ ଏହି ରାଜସ୍ବ ଆଦାୟ ହୋଇଛି? ହଜାର ହଜାର ୱାଇ ଫର୍ମ ବିକ୍ରି ହୋଇଛି? ଆଜି ତଦନ୍ତରେ ଲୋକାୟୁକ୍ତଙ୍କ ବିଶେଷଜ୍ଞ ଦଳ ସହିତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ ମଲ୍ଲିକ, ପ୍ରଦୂଷଣ ବୋର୍ଡ଼ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା, ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତିଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଅଧିକାରୀମାନେ ଆଜି ଆରୁହା ପାହାଡ଼ ଓ ଖାଦାନ ଅଞ୍ଚଳ ଅନୁସନ୍ଧାନ କରି ଫେରିଯାଇଛନ୍ତି।
ପ୍ରକାଶଥାଉକି ଏହି ପାହାଡ଼ର ମାତ୍ର ୩ଏକର ଖାଦାନ ୨୦୧୭ ମସିହାରେ ତ୍ରିନାଥ ଜେନାଙ୍କୁ ସରକାର ନିଲାମ ଦେଇଛନ୍ତି। ମାତ୍ର ଶ୍ରୀ ଜେନା ଯେଉଁ ପରିମାଣର ଆର ଫର୍ମ ନେଇଛନ୍ତି ଓ ରାଜସ୍ବ ପୈଠ କରିଛନ୍ତି, ତା’ଠାରୁ ଖୁବ୍ କମ୍ ପଥର ସେହି ଖାଦାନରୁ ଖୋଳାଯାଇଛି। ଅନ୍ୟପକ୍ଷରେ ଲିଜ୍ ଦିଆଯାଇନଥିବା ଆରୁହା ପାହାଡ଼ ୧୫୦ଏକର ଅଞ୍ଚଳରୁ ବ୍ୟାପକ ପଥର ଚୋରି ହୋଇଛି। ଯାହାକୁ ନେଇ ସୂଚନା କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆରୁହା ପାହାଡ଼ କଳାପଥର ନିଲାମରେ ହୋଇଥିବା ଆଉ ଏକ ଦୁର୍ନୀତି ମାମଲାରେ ରାଜସ୍ବ ବିଭାଗର କେତେକ ଅଧିକାରୀଙ୍କ ଚାଲ ଏବେ ଧରାପଡ଼ିଯାଇଛି। ଗତ ଫେବ୍ରୁଆରି ମାସରେ ଆହ୍ବାନ କରାଯାଇଥିବା ଟେଣ୍ଡର(ରଦ୍ଦ ହୋଇଥିବା)ରେ ଆରୁହା ପାହାଡ଼ର ୩ଟି ଖାଦାନରେ କଳାପଥର ଗଚ୍ଛିତ ପରିମାଣ ଯଥାକ୍ରମେ ୫,୧୦,୬୦୦ଘନମିଟର, ୪,୨୫, ୭୯୪ଘନମିଟର ଓ ୬,୪୩,୬୦୪ଘନମିଟର ବୋଲି ଦର୍ଶାଯାଇଥିଲା। ଫଳରେ ୧୦କୋଟି ଟଙ୍କା ଜମା କରି କେହି ନିଲାମ ନେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ମାତ୍ର ୩ମାସ ପରେ ଏବେ ଯେଉଁ ନିଲାମ ହୋଇଛି। ସେହି ଖାଦାନ ଗୁଡ଼ିକର କଳାପଥର ଗଚ୍ଛିତ ପରିମାଣ କିପରି ପ୍ରତ୍ୟେକର ୪୨ହଜାର ଘନମିଟରକୁ ହ୍ରାସ ପାଇଲା।? ତହସିଲ ରେକର୍ଡରେ୧୫.୭୯ଲକ୍ଷ ଘନମିଟର କଳାପଥର ଗଚ୍ଛିତ ଥିବା କଳାପଥର ଖାଦାନ ତିନି ମାସ ପରେ୧.୨୬ଲକ୍ଷ ଘନମିିଟରକୁ କମିଗଲା କିପରି? ଏହି କଳାପଥର ଗଚ୍ଛିତ ନେଇ ହେଉଥିବା ଟେଣ୍ଡର କେଳେଙ୍କାରୀରେ ଏହି ଦିଗ ଏବେ ପଦାକୁ ଆସିଛି। ଏହା ମଧ୍ୟ ଲୋକାୟୁକ୍ତଙ୍କ ନୋଟିସକୁ ନେବେ ବୋଲି ଶ୍ରୀ ବେହୁରା କହିଛନ୍ତି। ଆରୁହା ପାହାଡ଼ କଳାପଥର କେଳେଙ୍କାରୀରେ ପଥର ମାଫିଆ ଯେପରି ଛନ୍ଦି ହୋଇଯାଇଛନ୍ତି; ଏହାକୁ ନିୟନ୍ତ୍ରଣ କରୁଥିବା ରାଜସ୍ବ ଅଧିକାରୀମାନେ ମଧ୍ୟ ହରଡ଼ଘଣାରେ ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି।
The post କଳାପଥର କେଳେଙ୍କାରୀ, ପୁଣିଥରେ ତନାଘନା ପ୍ରମାଣ ଯୋଗାଡ଼ରେ ଲୋକାୟୁକ୍ତ ଟିମ୍ first appeared on Sambad.from ଜିଲ୍ଲା | Sambad https://ift.tt/3A7IPlI
0 Comments