ପାରଳାଖେମୁଣ୍ତି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜଳିଯାଇ ରହସ୍ୟଜନକ ଭାବେ ମୃତ୍ୟୁ ଘଟଣାର ସମସ୍ତ ଟେକ୍ନିକାଲ୍‌(ବୈଷୟିକ) ରିପୋର୍ଟ ଓ ଫରେନସିକ୍‌ ଲ୍ୟାବ୍‌ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଏହା ଆଧାରରେ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ସ୍ଥାନ ବାହାରେ କେଉଁଠି ନୁହେଁ, ତାଙ୍କ ସରକାରୀ ବାସଭବନ। ଯଦିଓ ବର୍ତ୍ତମାନ ସୁଦ୍ଧା ସମଗ୍ର ଘଟଣାର ପ୍ରେକ୍ଷାପଟ୍ଟରେ ଥିବା କାରଣ, ପାରିପାର୍ଶ୍ବିକ ଘଟଣାବଳୀ ଓ କେଉଁ କେଉଁ ଚରିତ୍ରଙ୍କ କ’ଣ ଭୂମିକା ରହିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ, ପୁଲିସ ଉକ୍ତ ଘଟଣା ସହ ସମ୍ପୃକ୍ତ ଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଜେରା ଓ ପଚରାଉଚରା ଶେଷ କରିଛି। ବର୍ତ୍ତମାନ ଘଟଣାର ବିଭିନ୍ନ ବୈଷୟିକ ଦିଗ ଓ ଏ ସମ୍ପର୍କିତ ରିପୋର୍ଟକୁ ତର୍ଜମା କରାଯାଉଛିଯାଉଛି।

ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିବା ଅନୁସାରେ, ଘଟଣା ରାତିରେ ଏସିଏଫ୍‌ ସୌମ୍ୟଙ୍କ ଦେହେର ନିଆଁ ଲାଗିବା ଠାରୁ ତାଙ୍କ ଶବଦାହ କରାଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ମିନଟ୍‌ର ଟିକିନିଖି ତଥ୍ୟ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତକାରୀ ଦଳ ଅନୁଧ୍ୟାନ କରୁଛନ୍ତି। ସୌମ୍ୟଙ୍କ ପରିବାର ପକ୍ଷରୁ ପୂର୍ବରୁ ହୋଇଥିବା ଅଭିଯୋଗ ଏବ˚ ପରବର୍ତ୍ତୀ ସମୟରେ ତାଙ୍କ ପରିବାରର କିଛି ସଦସ୍ୟ ପର୍ଯ୍ୟାୟ କ୍ରମେ ଦେଇଥିବା ବୟାନ୍‌ ଓ ତଥ୍ୟ ପ୍ରମାଣ, ଦନ୍ତାବିଜକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ତେବେ ଘଟଣା ପରବର୍ତ୍ତୀ ସମୟରେ ତଦନ୍ତ କାଳରେ ସୌମ୍ୟରଞ୍ଜନଙ୍କ ଆଉ କିଛି ଦୂର ସମ୍ପର୍କୀୟ ବିଭିନ୍ନ ଗଣମାଧ୍ୟମରେ ଆଣିଥିବା ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯାଉ ନାହିଁ। ଏଥିରୁ ଅନେକ ଅଭିଯୋଗ ତଦନ୍ତ କାଳରେ ଭିତ୍ତିହୀନ ଓ କୌଣସି ପ୍ରମାଣ ସାପେକ୍ଷ ନଥାଇ ଏ ସବୁ ଅଭିଯୋଗମାନ ଆସୁଥିବା ବରିଷ୍ଠ ପୁଲିସ ଅଧିକାରୀ ଜଣକ କହିଛନ୍ତି। ଏଣୁ ଦିଗହରା ନହୋଇ ତଦନ୍ତରେ ସ୍ବଚ୍ଛତା ରକ୍ଷା ଏବଂ ପ୍ରକୃତ ରହସ୍ୟକୁ ପଦାକୁ ଆଣିବା ବର୍ତ୍ତମାନ ପୁଲିସର ବଡ଼ କାମ ହୋଇଛି ବୋଲି ସେ କହିଛନ୍ତି।

The post ଏସିଏଫ୍‌ ମୃତ୍ୟୁ ମାମଲା: ବୈଷୟିକ ଦିଗ ଉପରେ ତର୍ଜମା କରୁଛି ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/2VAeayB