
ବଲାଙ୍ଗୀର : ପାଞ୍ଚବର୍ଷର ଝିଅ। ହଠାତ୍ ଅସୁସ୍ଥ ହୋଇ ଗୁରୁତର। ପରିବାର ଲୋକ ଡାକ୍ତରଖାନା ଆଣିଲେ। ଡାକ୍ତର ମୃତ ଘୋଷଣା କଲେ। ହେଲେ ପରିବାର ଲୋକଙ୍କ ମନ ମାନିଲାନି। ଘରକୁ ନେଲେ ଓ ଘରେ ଝିଅର ଗୋଡ଼ ହଲିବା ଭଳି ଲାଗିବାରୁ ପୁଣି ଥରେ ଡାକ୍ତରଖାନା ଆଣିଲେ। କିନ୍ତୁ ଡାକ୍ତର ପୁଣି ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଏଭଳି ଏକ ଘଟଣା ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ ଶୁକ୍ରବାର ସକାଳୁ ବଲାଙ୍ଗୀର ସଦର ବ୍ଲକ୍ ରାମସିଂହା ଖଲିଆପାଲି ଗାଁର ଦେବରାଜ ସୁନାଙ୍କ ପାଞ୍ଚବର୍ଷର ଝିଅ ହଠାତ୍ ଗୁରୁତର ହୋଇଗଲେ। ଦେବରାଜ ପ୍ରଥମେ ତାଙ୍କୁ ଚନ୍ଦନଭାଟି ଡାକ୍ତରଖାନା ଏବଂ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ। ଶିଶୁ ରୋଗ ବିଶେଷଜ୍ଞ ପରୀକ୍ଷା କରି ମୃତ୍ୟୁ ହୋଇଥିବା କହିଥିଲେ। ପରିବାର ଲୋକେ ଘରକୁ ଝିଅକୁ ନେଇକି ଯିବା ପରେ ହଠାତ୍ ଝିଅ ଗୋଡ଼ ହାତ ହଲାଇଥିଲା ଓ ପରିସ୍ରା ମଧ୍ୟ କରିଥିଲା। ଫଳରେ ଝିଅ ବଞ୍ଚିଛି ବୋଲି ଭାବି ପରିବାର ଲୋକେ ପୁଣିଥରେ ୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ ଝିଅକୁ ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କୁ ଠିକ୍ ଭାବେ ଚିକିତ୍ସା କରିବା ପାଇଁ ଅନୁରୋଧ କରିଥିଲେ। ଆଶୁ ଚିକିତ୍ସା ବିଭାଗ ଡାକ୍ତର ଭଲ ଭାବେ ନିଶ୍ୱାସପ୍ରଶ୍ୱାସ ଯାଞ୍ଚକରି ମୃତ ଘୋଷଣା କରିଥିଲେ। ରକ୍ତହୀନତା ଯୋଗୁଁ ଝିଅର ମୃତ୍ୟୁ ହୋଇଥାଇପାରେ ବୋଲି ଡାକ୍ତର ସନ୍ଦେହ ପ୍ରକାଶ କରି କହିଥିଲେ। କିନ୍ତୁ ଝିଅର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା। ଝିଅର ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକଙ୍କ କନ୍ଦାକଟାରେ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
The post ଝିଅ ମୃତ୍ୟୁକୁ ବିଶ୍ୱାସକୁ ନେଲେନି ପରିବାର, ଡାକ୍ତରଖାନାରେ ଘୂରିବୁଲିଲେ first appeared on Sambad.from ଜିଲ୍ଲା | Sambad https://ift.tt/3D6Vh7m
0 Comments