
ସମ୍ବଲପୁର : କାରଖାନା ସ୍ଥାପିତ ହେଲେ ଅଂଚଳର ବିକାଶ ହୋଇଥାଏ। ଲୋକେ ଅନେକ ସୁବିଧା ସୁଯୋଗ ପାଇଥାନ୍ତି। ହେଲେ ହୀରାକୁଦର ହିଣ୍ଡାଲକୋ କାରଖାନା ଯୋଗୁ ଏବେ ଅଂଚଳବାସୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଚାଷୀ ଓ ଜନସାଧାରଣ ପର୍ଯ୍ୟନ୍ତ ସମସ୍ତଙ୍କୁ ହିଣ୍ଡାଲକୋ ପାଇଁ ଏବେ ବିଭିନ୍ନ ସମସ୍ୟା ସହ ଯୁଝିବାକୁ ପଡ଼ୁଛି।
ପ୍ରାପ୍ତ ସୂଚନା ଅନୁସାରେ, ହିଣ୍ଡାଲକୋ ଶିଳ୍ପସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷ ଏବଂ ଏଫ୍ଆର୍ପି ଶ୍ରମିକ ସଂଗଠନ ମଧ୍ୟରେ ପ୍ରତ୍ୟେକ ତିନି ବର୍ଷରେ ହିଣ୍ଡାଲକୋ ଏବଂ ଏଫ୍ଆର୍ପି ଶ୍ରମିକ ସଂଗଠନ ମଧ୍ୟରେ ଦୀର୍ଘ ମିଆଦି ଚୁକ୍ତିନାମା ସ୍ବାକ୍ଷର ହୋଇଥାଏ। ଏଥିରେ ଶ୍ରମିକମାନଙ୍କ ଦରମା, ସାମାଜିକ ନିରାପତ୍ତା ଏବଂ କଲ୍ୟାଣ, ପଦୋନ୍ନତି ଆଦି ସ୍ଥିର କରାଯାଇଥାଏ l ହିଣ୍ଡାଲକୋ ହୀରାକୁଦ ଏଫ୍ଆର୍ପି ୱାର୍କର୍ସ ଏମ୍ପ୍ଲଇଜ୍ ୟୁନିଅନ ସହିତ ପୂର୍ବରୁ ହୋଇଥିବା ଚୁକ୍ତିନାମାର ଅବଧି ସରିଯାଇଛି। ଦୀର୍ଘ ୧୮ ମାସ ପୂର୍ବରୁ ଚୁକ୍ତିନାମା ସ୍ବାକ୍ଷର କରିବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଆସୁଛି l ପରୋକ୍ଷରେ କଂପାନି ଦ୍ବାରା ଶ୍ରମିକମାନେ ଶୋଷଣର ଶିକାର ହେଉଛନ୍ତି। ଶ୍ରମିକ ସଂଗଠନ ରାଜ୍ୟ ଶ୍ରମ କମିସନର, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ଚେତାବନୀ ଦେଇଛି।
ଗତ ୨୮ ଅଗଷ୍ଟ ୨୦୨୦ରେ ହୀରାକୁଦ ହିଣ୍ଡାଲକୋ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଗୁଜାତଳ, ନୂଆଜାମଡ଼ା, ମହମ୍ମଦପୁର, ଗୁଣ୍ଡୁରୁପଡ଼ା, ସାହାଜବାହାଲ ଆଦି ଗାଁର ୧୦୪ ଜଣ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୃଷି ବିଭାଗ ଓ ଓୟୁଏଟି ଟିମ୍ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ନିରୀକ୍ଷଣର ୬ ମାସ ଅତିକ୍ରାନ୍ତ ହେବା ପରେ ବି କ୍ଷତିପୂରଣ ରାଶି ନମିଳିବା ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ୨୩ ଓ ୨୪ ଫେବ୍ରୁଆରିରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ପରେ ସମାଧାନର ସୂତ୍ର ବାହାରିଥିଲା। ଏକର ପିଛା ୧୩ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ କଂପାନି କତ୍ତୃର୍ପକ୍ଷ ରାଜି ହୋଇଥିଲେ। ଏକ ସପ୍ତାହ ମଧ୍ୟରେ ତହସିଲ କାର୍ଯ୍ୟାଳୟ ଜରିଆରେ ଚାଷୀମାନଙ୍କୁ ଏହି ଅର୍ଥରାଶି ବଣ୍ଟାଯିବାକୁ ସ୍ଥିର ହୋଇଥିଲା। ମାତ୍ର ଏଥିରେ ପୁଣି ଷଡ୍ଯନ୍ତ୍ର ହୋଇଥିଲା। ରାଜସ୍ବ ଓ କୃଷି ବିଭାଗର ଯୁଗ୍ମ ଆକଳନ ବେଳେ ୧୪୭.୮୭ ଏକର ଧାନ ଫସଲ ନଷ୍ଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମାତ୍ର ୬୦ ଏକର ଫସଲ ନଷ୍ଟ ହୋଇଥିବା ସଂକ୍ରାନ୍ତରେ ରିପୋର୍ଟ ଦିଆଯାଇଥିଲା। ୮୭.୮୭ ଏକର ଜମିର କ୍ଷତିପୂରଣ ବାବଦକୁ ୧୧ ଲକ୍ଷ ୪୨ ହଜାର ୩୧୦ ଟଙ୍କା ପାଇବାରୁ ବଂଚିତ ହେବା ଆଶଙ୍କା ପ୍ରକାଶ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କାର୍ଯ୍ୟାନୁଷ୍ଠାନ ନହେବାରୁ ସମ୍ବଲପୁର ଭିଜିଲାନସ୍ ବିଭାଗରେ ଅଭିଯୋଗ କରିଥିଲେ। ଭିଜିଲାନସ୍ ବିଭାଗରେ ଅଭିଯୋଗ ହେବା ପରେ ହିଣ୍ଡାଲକୋ ଏଥିରୁ ବର୍ତ୍ତିବା ପାଇଁ ଯୋଜନା କରିଥିଲା। ୬୦ ଏକର ଜମି ବାବଦ କ୍ଷତିପୂରଣ ରାଶିକୁ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିବା କୃଷକ ସଂଗଠନ ଅଭିଯୋଗ କରିଛି। ଅର୍ଥାତ, ଏହି ୬୦ ଏକର ଜମିର କ୍ଷତିଗ୍ରସ୍ତ ଚାଷୀମାନେ ୧୩ ହଜାର ଟଙ୍କା ହିସାବରେ ଯେତିକି ଟଙ୍କା ପାଇବା କଥା ତାହାଠାରୁ ସେମାନେ ଯଥେଷ୍ଟ କମ୍ ପାଇଛନ୍ତି। ତେବେ, ଭିଜିଲାନସ୍ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
The post ଚାଷୀ, ଶ୍ରମିକ କାହାକୁ ଛାଡ଼ୁନି ହିଣ୍ଡାଲକୋ first appeared on Sambad.from ଜିଲ୍ଲା | Sambad https://ift.tt/3jqEmoA
0 Comments