କଟକ : ଓଡ଼ିଆରେ କେହି ଯୁବତୀ ଟାୱାର ବସାଇବାକୁ ଫୋନ୍‌ କରୁଛନ୍ତି କି? ସାବଧାନ! ଜିଓ ପରେ ଏବେ ଏୟାର୍‌ଟେଲ୍‌ ଟାୱାର ବସାଇବା ଆଳରେ ଟଙ୍କା ଠକିବା ପାଇଁ ସାଇବର ଅପରାଧୀମାନେ ଏଭଳି ଜାଲ ବିଛାଇଛନ୍ତି। ଜଗତପୁର ଥାନା ପୁଲିସ ଏଭଳି ଠକ ଗ୍ୟାଙ୍ଗକୁ ଧରିବାପରେ ପୁଣି ଆଉ ଏକ ଗ୍ୟାଙ୍ଗ୍‌ ଏବେ କଲ୍‌ ସେଣ୍ଟର୍‌ ବସାଇ ଫୋନ କରିବା ଆରମ୍ଭ କରିଦେଇଛି। ଏମାନେ ଏୟାରଟେଲ ଟାୱାର୍‌ ବସାଇବାକୁ ଫୋନ୍‌ କରୁଛନ୍ତି। ଏଥିପାଇଁ କଟକ କମିସନରେଟ୍‌ ପୁଲିସ ସହରବାସୀଙ୍କୁ ସତର୍କ କରାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନିଜ ଜମିରେ ମୋବାଇଲ୍ ଟାୱାର ବସାଇବା ଆଳରେ ସହରର ଲୋକଙ୍କୁ ନିୟମିତ ଆସୁଥିବା ଫୋନ୍ କଲ୍ ମାତ୍ରା ଏତେ ପରିମାଣରେ ବୃଦ୍ଧି ପାଉଛି ଯେ ତାକୁ ନେଇ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ିଯାଇଛି। ଜଗତପୁରର ଦିଲ୍ଲୀପ କୁମାର ସାହୁଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ଠକିନେବା ଘଟଣା ପୁଣିଥରେ କାହା ସହ ଘଟିବା ନେଇ ମଧ୍ୟ ପୁଲିସ ଆଶଙ୍କା କରୁଛି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କଟକ ଡିସିପି ଅଫିସ ସତର୍କ କରିଛି।

ଡିସିପି ଅଫିସରୁ ମିଳିଥିବା ସୂଚନା ମୁତାବକ, ମୋବାଇଲ୍ ଟାୱାର୍‌ କେବଳ ଟେଲିକମ୍ ସର୍ଭିସ ପ୍ରୋଭାଇଡର (ଟିଏସପି) କିମ୍ବା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଭାଇଡର (ଆଇପି-ଆଇ) ହିଁ ବସାଇ ପାରିବ। ଅନ୍ୟ ଯେଉଁ ସଂସ୍ଥା ବା ବ୍ୟକ୍ତି ଟାୱାର୍‌ ବସାଇବାକୁ ଫୋନ୍ କରୁଛନ୍ତି, ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ସମ୍ପର୍କରେ ୱେବ୍‌ସାଇଟ୍‌ରୁ ଯାଞ୍ଚ କରିବାକୁ କୁହାଯାଇଛି। ଅନ୍ୟପଟେ ସାଇବର୍ ଠକ ଟ୍ରାଇ(ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ)ର ପରିଚୟରେ ଟାୱାର୍‌ ବସାଇବା ନେଇ ଯେଉଁ ଫୋନ୍‌ରେ ଦାବି କରୁଛି, ଏଥିରେ କୌଣସି ପ୍ରକାର ସତ୍ୟାସତ୍ୟ ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। କୌଣସି ପ୍ରକାର ଟାୱାର ଲିଜ୍‌ରେ ବସାଇବା ମାମଲାରେ ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ଟ୍ରାଇର ସମ୍ପୃକ୍ତି ନଥାଏ। ଟ୍ରାଇ ବି କୌଣସି ପ୍ରକାର ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍) ଜମି ମାଲିକଙ୍କୁ ଟାୱାର ବସାଇବା ପାଇଁ ଜାରି କରି ନଥାଏ। ଏଥିପ୍ରତି ସତର୍କ ରହିବାକୁ ଡିସିପି ଅଫିସ ତରଫରୁ କୁହାଯାଇଛି।

Bangalore Mirror

ଏହି ଠକ ଗ୍ୟାଙ୍ଗ୍ କଲିକତାରୁ ହିଁ ନିୟନ୍ତ୍ରଣ କରୁଛନ୍ତି। ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନର ଅନିଲେଶ ଆନନ୍ଦ ଏବଂ ଅଙ୍କିତ ରାୟ ନାମକ ଦୁଇ ଠକଙ୍କୁ ଗଲା ଜୁନ ୨୬ ତାରିଖରେ ଜଗତପୁର ଥାନା ପୁଲିସ କଲିକତାରୁ ଗିରଫ କରିଥିବା ବେଳେ ଠକ ଗ୍ୟାଙ୍ଗ୍‌ର କାର୍ପଟଦାର ଅଭୟ ତିୱାରୀ ଏବେ କଲିକତା ଜେଲରେ ଅଛି।

ପୁଲିସ କଲିକତାର ସଲ୍‌ଟ ଲେକ୍ ସିଟିରେ ଥିବା ଏହି ଗ୍ୟାଙ୍ଗର ୮ଟି କଲ୍ ସେଣ୍ଟର ସିଲ୍ କରିଛି। ଏୟାରଟେଲ୍ ଟାୱାର ବସାଇବା ପାଇଁ କଲିକତାରୁ ହିଁ ଫୋନ୍ କଲ୍ ଆସୁଛି। ଟାୱାର୍‌ ବସିବାକୁ ଥିବା ଜମି ମାଲିକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବା ସହିତ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଦେବାକୁ କୁହାଯାଉଛି। ଏହି ଠକ ଗ୍ୟାଙ୍ଗ୍ ଟ୍ରାଇର ଏନ୍‌ଓସି ଯୋଗାଇ ଦେବା ପାଇଁ ଟଙ୍କା ମଧ୍ୟ ଦାବି କରୁଛନ୍ତି। ତେବେ, ଆନନ୍ଦ ଓ ଅଙ୍କିତ ଏବେ ଚୌଦ୍ୱାର ଜେଲରେ ତଥା କାର୍ପଟଦାର ଅଭୟ କଲିକତା ଡୁମ୍‌ଡୁମା ଜେଲରେ ଥିବାବେଳେ ପୁଣି ଟାୱାର ବସାଇବାକୁ ଏବେ ଯେଉଁ ଫୋନ କଲ ଆସୁଛି, ଏହାକୁ ନିୟନ୍ତ୍ରଣ କରୁଛି କିଏ? ଅଭୟ ଜେଲରେ ଥିବା ସତ୍ତ୍ୱେ ଏବେ ଆଉ ଏକ ନୂଆ ସାଇବର୍‌ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ଥିବା ସନ୍ଦେହ କରାଯାଉଛି।

ଅନ୍ୟ ଏକ ସୂଚନାରେ, ଓଡ଼ିଶାର ଯୁବତୀଙ୍କୁ ପ୍ରାୟ ୮ରୁ ୧୦ ହଜାର ଟଙ୍କାରେ ଏହି କଲ୍‌ ସେଣ୍ଟରରେ ନିୟୋଜିତ କରୁଛନ୍ତି। ଓଡ଼ିଆ ଲୋକଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଓଡ଼ିଆ ଯୁବତୀଙ୍କୁ ନିୟୋଜିତ କରାଯାଉଥିବା କୁହାଯାଉଛି।

The post ଟାୱାର୍‌ ବସାଇବାକୁ ଫୋନ୍‌ ଆସୁଛି କି? ଜିଓ ପରେ ଏୟାରଟେଲ୍‌ ନାଁରେ ମାତିଲେଣି ସାଇବର ଅପରାଧୀ first appeared on Sambad.

from ଜିଲ୍ଲା | Sambad https://ift.tt/3zbN7Z0