ସୁନ୍ଦରଗଡ଼: ରାସ୍ତାରେ ଭୋକିଲା ଅବସ୍ଥାରେ ବୁଲୁଥିବା ଜଣେ କୁଷ୍ଠ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ସାମାଜିକକର୍ମୀ ସୁରୁ ମିଶ୍ର ଉଦ୍ଧାର କରିଛନ୍ତି। ତାଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦେବା ସହ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହା ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ବୃଦ୍ଧଙ୍କ ଥଇଥାନ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ବିଚାରବିମର୍ଶ କରୁଥିବା ସୂଚନା ମିଳିଛି।  ୩ ଦିନ ହେଲା ବୃଦ୍ଧ ଜଣକ ଅସହାୟ ଭାବେ ସୁନ୍ଦରଗଡ଼ରେ ବୁଲୁଥିବା ନଜରକୁ ଆସିଥିଲା। ଆଜି କଲେଜ ରାସ୍ତା କଡ଼ରେ ଭୋକରେ ଆଉଟୁପାଉଟୁ ହୋଇ ବସିଥିବା ଶ୍ରୀ ମିଶ୍ରଙ୍କ ପତ୍ନୀ ସମିମା ବେଗମ ଦେଖିବାକୁ ପାଇ ଘରକୁ ଡାକି ଆଣି ଖାଇବାକୁ ଦେଇଥିଲେ।

ବୃଦ୍ଧ ଜଣକ ତାଙ୍କ ସଠିକ ପରିଚୟ କହି ପାରୁ ନଥିବା ବେଳେ କୁଷ୍ଠ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଗୋଡ଼ରେ ବ୍ୟାଣ୍ଡେଜ ବନ୍ଧା ଯାଇଥିଲା। ଏହା ପରେ ସୁନ୍ଦରଗଡ଼ ବୃଦ୍ଧାଶ୍ରମ କର୍ମଚାରୀ ଆସିଥିଲେ ମଧ୍ୟ କୁଷ୍ଠ ଆକ୍ରାନ୍ତ ଜାଣି ନେବାକୁ ମନା କରି ଦେଇଥିଲେ। ବୃଦ୍ଧାଶ୍ରମରେ ଆଇସୋଲେସନ୍ କକ୍ଷ ନଥିବାରୁ ଅନ୍ୟ ଅନ୍ତେବାସୀଙ୍କ ପାଇଁ ସମସ୍ୟା ଉପୁଜିବ  କହି ସେମାନେ ଫେରି ଯାଇଥିଲେ। ତେବେ ବୃଦ୍ଧଙ୍କ ଚିକିତ୍ସା ଜରୁରୀ ଥିବାରୁ ତାଙ୍କୁ ଶ୍ରୀ ମିଶ୍ର ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇ ଭର୍ତ୍ତି କରିଥିଲେ। ଏହା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ତୁରନ୍ତ ବୃଦ୍ଧଙ୍କ ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

The post କୁଷ୍ଠ ରୋଗାକ୍ରାନ୍ତ ଅସହାୟ ବୃଦ୍ଧ ଉଦ୍ଧାର   first appeared on Sambad.

from ଜିଲ୍ଲା | Sambad https://ift.tt/3jhc5j3