
ସୁନ୍ଦରଗଡ଼ : ହକି ଅଲିମ୍ପିକ୍ ଖେଳିବାକୁ ୮ ମାସ ତଳେ ଘରୁ ବାହାରି ଯାଇଥିବା ଅମିତ ରୋହିଦାସ ଆଜି ଫେରିଛନ୍ତି। ସଙ୍ଗରେ ମା’ ପାଇଁ, ଗାଁ ପାଇଁ ନେଇ ଆସିଛନ୍ତି ଗୌରବ।
ସୁନାପୁଅକୁ କୋଳେଇ ନେବାକୁ ରବିବାର ଦିନ ହକି ଅନ୍ତୁଡ଼ିଶାଳ ସଉନାମୁରାର ଗୋଡ଼ ତଳେ ଲାଗୁ ନଥିଲା। ପାରମ୍ପରିକ ମାଦଳ, ନାଗରା ବାଜା ସହ ଆଦିବାସୀ ନୃତ୍ୟ ତାଳେ ତାଳେ ଗାଁରେ ପାଦ ଦେଇଥିଲେ ଅମିତ। ଗାଁ ମୁଣ୍ଡରେ ହଳଦୀପାଣି ଓ ଫୁଲଚନ୍ଦନ ଥାଳି ଧରି ପୁଅକୁ ଅପେକ୍ଷା କରିଥିଲେ ମା’ ଗୋଲାପି, ଭଉଣୀ ସୁସ୍ମିତା, ଲକ୍ଷ୍ମୀ, ସବିତା, ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତୀ ଓ ଗାଁ ଲୋକେ। ଅମିତ ପହଞ୍ଚିବା

ପରେ ପାରମ୍ପରିକ ଭାବେ ବନ୍ଦାପନା କରି ମା’, ଭଉଣୀ ସମେତ ଘରର ଅନ୍ୟମାନେ କୁଣ୍ଢେଇ ପକାଇଥିଲେ। ଏହାପରେ ଅମିତ ଘରକୁ ଯିବା ପୂର୍ବରୁ ପଛପଟ ବାଡ଼ିରେ ଥିବା ବାପାଙ୍କ ସମାଧି ପୀଠକୁ ଯାଇ ଫୁଲ ଚଢ଼ାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ବାପାଙ୍କୁ ମନେପକାଇ ଅମିତଙ୍କ ସହ ତାଙ୍କ ମା’ କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରି ଦେଇଥିଲା। ସମାଧି ପୀଠରୁ ସିଧା ଘରକୁ ଯାଇଥିଲେ ଅମିତ। ଆଦିବାସୀ ପରମ୍ପରାରେ ପୁଅକୁ ପାଛୋଟି ନେବା ଦୃଶ୍ୟ ଥିଲା ଅଧିକ ନିଆରା ଓ ଆକର୍ଷଣୀୟ। ଦ୍ବାର ମୁହଁରେ ମା’ କ୍ଷୀର, ହଳଦୀ ପାଣିରେ ପୁଅର ଗୋଡ଼ ଦେଇଥିଲେ। ଏହାପରେ ଦ୍ବାର ମୁହଁରୁ ଫୁଲ ସଜ୍ଜିତ ଚାଙ୍ଗୁଡ଼ିରେ ପାଦ ପକାଇ ପକାଇ ଘରକୁ ପ୍ରବେଶ କରିଥିଲେ ଅମିତ। ସଂଯୋଗକ୍ରମେ ଆଜି ଥିଲା ରକ୍ଷା ବନ୍ଧନ। ଘରେ ରାଖି ଧରି ଜଗିଥିଲେ ଭଉଣୀ ସୁସ୍ମିତା। ପଦକ ନେଇ ଫେରିଥିବା ସାନ ଭାଇଙ୍କ ପାଇଁ ତାଙ୍କ ଛାତି ଫୁଲି ଉଠୁଥିଲା, ଖୁସିରେ ନାଚି ପକାଉଥିଲେ। ଭାଇ ହାତରେ ରାଖି ବାନ୍ଧିଥିଲେ ଓ ଅଲିମ୍ପିକ୍ ପଦକକୁ ଛୁଇଁ କୁରୁଳି ଉଠିଥିଲେ। ମା’ ଓ ଭାଇଭଉଣୀଙ୍କ ଏ ଖୁସିର ମୁହୂର୍ତ୍ତ ସେଠାରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

ଶନିବାର ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଭବ୍ୟ ସମ୍ବର୍ଦ୍ଧନା ପରେ ପ୍ରଦିକ୍ଷଣ ଗୃହରେ ରାତ୍ରୀଯାପନ କରିଥିବା ଭାରତୀୟ ପୁରୁଷ ହକି ଦଳର ରକ୍ଷଣଭାଗ ଖେଳାଳି ଅମିତ ଆଜି ଦିନ ୧୧ଟାରେ ଗାଁ ଅଭିମୁଖେ ବାହାରିଥିଲେ। ରାସ୍ତାରେ ସବଡେଗା, ତଳସରା ଛକ ଓ ଅନ୍ୟ ସ୍ଥାନମାନଙ୍କରେ ଫୁଲଚନ୍ଦନ ଦେଇ ହକି ହିରୋଙ୍କୁ ସ୍ବାଗତ କରିଥିଲେ ଲୋକେ। ତଳସରା ଛକରେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଏହି ଭବ୍ୟ ଉତ୍ସବର ଆୟୋଜନରେ ଏସ୍ଡିସି ଅଧ୍ୟକ୍ଷ ବିନୟ ଟପ୍ପୋ ପ୍ରମୁଖ ଭୂମିକା ତୁଲାଇ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଏନ୍ଟିପିସି ପକ୍ଷରୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା।
The post ଗାଁକୁ ଫେରିଲେ ହକି ଗୌରବ, ହଳଦୀ ପାଣିରେ ଅମିତଙ୍କ ଗୋଡ଼ ଧୋଇଦେଲେ ମା’ first appeared on Sambad.from ଜିଲ୍ଲା | Sambad https://ift.tt/3y65r4t
0 Comments