
ଯାଜପୁରସଦର : ସାଇବର୍ ଠକେଇ ରାକେଟର ମାଷ୍ଟରମାଇଣ୍ଡ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ରହି ଦେଶସାରା ଚେର ଲମ୍ବାଇ ଚାଲିଥିଲା। ଜିଲ୍ଲା ପୁଲିସକୁ ଏହାର ସାମାନ୍ୟତମ ସୁରାକ ମିଳିପାରୁ ନଥିଲା। ହେଲେ ଦିଲ୍ଲୀ ପୁଲିସର ସାଇବର ଅପରାଧ ଶାଖାର ଏକ ଟିମ୍ ପହଞ୍ଚି ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରୀତମ କରକୁ ଗିରଫ କରିବାରେ ସକ୍ଷମ ହୋଇଛି। ଝାଡଖଣ୍ଡର ଜାମତାରାକୁ ଭାରତର ସାଇବର ଅପରାଧର ହବ୍ କୁହାଯାଉଥିବା ବେଳେ ଯାଜପୁରର ବରୀ ଅଞ୍ଚଳ ବାହାର ରାଜ୍ୟର ପୁଲିସ ଆଖିରେ ଦ୍ବିତୀୟ ଜାମତାରା ବୋଲି ପ୍ରମାଣିତ ହୋଇଛି। ବିଗତ ଦିନରେ ବରୀ ଉପରେ ସାଇବର କ୍ରାଇମ୍ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ଓ ହିମାଚଳ ପ୍ରଦେଶର ପୁଲିସ ଚଢ଼ଉ କରିଥିବା ବେଳେ ସେମାନଙ୍କ ହାତରେ ସଫଳତା ଲାଗି ନଥିଲା। ଯାହାକି ଦିଲ୍ଲୀ ପୁଲିସ ଏକ ସାଇବର ଅପରାଧର ତଦନ୍ତ କରି ବଡ ସଫଳତା ପାଇଛି ବୋଲି କୁହାଯାଇପାରେ।
‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ବରୀ ଥାନା ଭୁରୁଙ୍ଗା ଅଞ୍ଚଳର ପ୍ରୀତମ କର ଓଡ଼ିଶା ପାଇଁ ସାଇବର କ୍ରାଇମର ବାଦଶାହ ସାଜିଥିଲା। ଏଥିପାଇଁ ସେ କୋଟିକୋଟି ଟଙ୍କାର ମୁନାଫା ପାଉଥିଲା। ଦୈନିକ ସେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରୁ ବିଭିନ୍ନ ମୋବାଇଲ ଦୋକାନୀ ଓ ମୋବାଇଲ ନେଟୱର୍କ କମ୍ପାନିର କର୍ମଚାରୀଙ୍କୁ ନିଜ ଫାଶରେ ପକାଇ ସେମାନଙ୍କଠାରୁ ଚାଲୁ ହୋଇଥିବା ସିମ୍ ସଂଗ୍ରହ କରୁଥିଲା। ପରେ ସେ ସିମ୍ଗୁଡ଼ିକରେ ସେ ଫୋନପେ, ଗୁଗୁଲପେ, ୱାଲଟ୍ ପ୍ରସ୍ତୁତ କରି ସେଗୁଡ଼ିକୁ ବ୍ୟାଙ୍କ ସହ ସଂଯୋଗ କରୁଥିଲା। ଯାଜପୁରର ସୁଜନପୁର ଓ ଚଣ୍ଡିଖୋଲ ଅଞ୍ଚଳର କେତେକ ନିର୍ଦିଷ୍ଟ ଘରୋଇ ବ୍ୟାଙ୍କରେ ଫେକ୍ ଏକାଉଣ୍ଟ ଖୋଲାଯାଇ ତାହାକୁ ଅନଲାଇନ ବ୍ୟାଙ୍କିଙ୍ଗ ସହ ଯୋଡ଼ାଯାଉଥିଲା। ପରେ ପ୍ରୀତମ ଏହାକୁ କୋରିଅର ଯୋଗେ ରାଜସ୍ଥାନର ଭରତପୁର, ହରିୟାଣାର ମେୟାର, ପଲବଲ, ଉତ୍ତରପ୍ରଦେଶର ମୁଜାଫରାବାଦ୍, ଲକ୍ଷ୍ନୌ, ପଶ୍ଚିମବଙ୍ଗର ଆସାନସୋଲ, ଦୁର୍ଗାପୁର, ନିଉ ଟାଉନ ଆଦି ଅଞ୍ଚଳକୁ ପଠାଉଥିଲା।
ଝାଡ଼ଖଣ୍ଡ ଓ ବିହାରରୁ ଆସୁଥିବା ଗୁପଚୁପ୍ ବ୍ୟବସାୟୀଙ୍କ ସହ ପ୍ରୀତମର ପରିଚୟ ହୋଇଥିଲା। ସେମାନଙ୍କ ସହଯୋଗରେ ପ୍ରୀତମ ଏଠାରେ ସାଇବର ଅପରାଧର ଚେର ଲମ୍ବାଇଥିଲା। ପ୍ରୀତମକୁ ଏହି କାର୍ଯ୍ୟରେ ସହଯୋଗ କରି ମାଲାମାଲ୍ ହେଉଥିବା ବରୀ ଅଞ୍ଚଳର କିଛି ଯୁବକ ଏବେ ଫେରାର ହୋଇ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି। ଏହି ଗ୍ୟାଙ୍ଗ୍ ଲୋକମାନଙ୍କୁ ବ୍ୟାଙ୍କ ସଂପର୍କିତ ମିଥ୍ୟା ତଥ୍ୟ, ମୋବାଇଲ ସିମ୍ କଟିଯିବାର ଭୟ କଥା କହି ବ୍ୟକ୍ତିଗତ ସୂଚନା ନେଇ କୋଟିକୋଟି ଟଙ୍କା ଠକି ନେଉଥିବାର ପ୍ରମାଣ ରହିଛି। ବରୀ ଅଞ୍ଚଳରେ ୨୦୨୦ ରୁ ଏହି ରୢାକେଟ ଅଧିକ ସକ୍ରିୟ ହୋଇଥିଲା। ଫଳରେ ପୂରା ଭାରତବର୍ଷରେ ଏହି ଗ୍ୟାଙ୍ଗ ନିଜ ଅପରାଧ ସାମ୍ରାଜ୍ୟର କାୟା ବିସ୍ତାର କରି ଶହଶହ କୋଟି ଟଙ୍କା ଠକି ନେବାରେ ସଫଳ ହୋଇଛି।
କୋର୍ଟରେ ହାଜର ପରେ ଦିଲ୍ଲୀ ପୁଲିସ ପ୍ରୀତମକୁ ରିମାଣ୍ଡରେ ନେଇଯାଇଛି। ଯଦି ଦିଲ୍ଲୀ ପୁଲିସ ଏହି ଘଟଣାର ତଦନ୍ତକୁ ଅଧିକ ଗତିଶୀଳ କରି ପ୍ରୀତମକୁ ଅଧିକ ପଚରାଉଚରା କରେ ତେବେ ଓଡ଼ିଶା ବିଶେଷ ଭାବେ ଯାଜପୁରରେ ମୁଣ୍ଡ ଟେକିଥିବା ସାଇବର୍ ଅପରାଧ ସଂପର୍କରେ ବଡ଼ ସଫଳତା ମିଳିପାରିବ ବୋଲି କୁହାଯାଉଛି।
The post ବରୀରେ ସାଇବର ଅପରାଧ ଗ୍ୟାଙ୍ଗ୍ ସକ୍ରିୟ! first appeared on Sambad.from ଜିଲ୍ଲା | Sambad https://ift.tt/3fXFq0W
0 Comments