ବଡ଼ସାହି/ମାଣତ୍ରି : ମୃତ୍ୟୁ ଏମିତି ଆସିବ ବୋଲି କେହି ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। ହେଲେ ବିଧିର ବିଧାନ କେ କରିବ ଆନ। ଘର ଭିତରୁ ନାଗସାପ ଧରିବାବେଳେ ଯମରୂପୀ ସେହି ସାପ ସଂଶନରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଦୁର୍ଗାପୁର ପଞ୍ଚାୟତ ଆସକନ୍ଦ ଗ୍ରାମର ପ୍ରଭାକର ଜେନାଙ୍କ ପୁଅ ଅରୁଣ ଜେନା (୩୭)।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଗ୍ରାମର କୁନା ଜେନାଙ୍କ ଘରେ ଏକ ନାଗ ସାପ ପଶିଥିଲା। ସାପଟିକୁ ଧରିବା ପାଇଁ କୁନା ଅରୁଣଙ୍କୁ ଡାକିଥିଲେ। ଅରୁଣ ପହଞ୍ଚି କୌଶଳକ୍ରମେ ଏକ ବାଡ଼ି ସାହାଯ୍ୟରେ ନାଗକୁ ଧରିବାରେ ସକ୍ଷମ ମଧ୍ୟ ହୋଇଥିଲେ। କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ସାପଟି ତାଙ୍କ ବାମ ହାତକୁ ଚୋଟ ମାରିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବଡ଼ସାହି ଥାନା କେସ୍‌ ନଂ ୩୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ପ୍ରକାଶଥାଉକି, ମୃତ ଅରୁଣଙ୍କର ୫ ବର୍ଷ ଓ ୪ ମାସର ଦୁଇଟି ପୁଅ ଅଛନ୍ତି। ଅରୁଣଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ଗ୍ରାମବାସୀ ହତବାକ୍ ହୋଇ ଯାଇଥିବା ବେଳେ ପରିବାରରେ କାନ୍ଦବୋବାଳି ପଡ଼ିଛି।

The post ନାଗକୁ ଧରିଲେ, ଚୋଟରେ ଟଳିପଡ଼ିଲେ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3fDrLvN