ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ୪ଟିକିଆ ହାତୀପଲ ପଶି ଶିବ ମୁଣ୍ଡାଙ୍କ ଦୁଇ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଘରର ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ହାତୀ ଘର ଭାଙ୍ଗୁଥିବା ଜାଣିପାରି ପରିବାର ଲୋକେ ପଡ଼ିଶା ଘରକୁ ପଳାଇ ଯାଇଥିଲେ। ଏବଂ ସାହି ଲୋକେ ମିଶି ହାତୀକୁ ଘଉଡ଼ାଇଥିଲେ। ତେବେ ସେତେବେଳକୁ ୨ ବସ୍ତା ଚାଉଳ ଓ ଧାନ ଡୁଲି ଖାଇଦେଇଥିଲେ। ବହୁ ଚେଷ୍ଟା ପରେ ଗ୍ରାମବାସୀ ହାତୀ ଗୁଡିକୁ ଘଉଡାଇ ଦେଇଥିଲେ।

ବନ ବିଭାଗ ସୂଚନା ଅନୁସାରେ ତେଲକୋଇ ରେଞ୍ଜରେ ଏବେ କୋଡ଼ିଏଟି ହାତୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବିମଳା ସେକ୍ସନରେ ଷୋହଳଟି ହାତୀ ରହିଥିବା ଜଣାପଡିଛି। ତେଲକୋଇ ଅଞ୍ଚଳରେ ବର୍ଷ ତମାମ ବଣୁଆ ହାତୀଙ୍କ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ସଫଳ ହୋଇପାରୁନାହିଁ। ଏନେଇ ବିମଳା ଫରେଷ୍ଟ ସେକ୍ସନର ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

The post ଘର ଭାଙ୍ଗି ଧାନ ଚାଉଳ ଖାଇଲେ, ତେଲକୋଇରେ ପୁଣି ମାତିଲେ ହାତୀ first appeared on Sambad.

from ଜିଲ୍ଲା | Sambad https://ift.tt/3yLJYir