
ନୂଆପଡ଼ା : ଗତ ବର୍ଷ ନୂଆପଡ଼ା ଜିଲ୍ଲା ବରଗାଁ ଅଞ୍ଚଳର ଜଣେ ବୃଦ୍ଧା ଟଙ୍କା ଉଠାଣ ପାଇଁ ଖଟିଆରେ ଟଣା ହୋଇ ବ୍ୟାଙ୍କକୁ ଆସିବା ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେହିପରି କିଛିଦିନ ତଳେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ମୋଟା ନୂଆପଡ଼ା ପଞ୍ଚାୟତ କୁକୁରୀମୁଣ୍ଡି ଗ୍ରାମର ଚମ୍ପାବାଇ ଲୋହାର (୭୦ ବର୍ଷ) ଚାଉଳ ମୁଠେ ପାଇଁ ୩ ଦିନ ପାଦରେ ଚାଲିକି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।
ସୋମବାର ଏଭଳି ଏକ ଦୃଶ୍ୟ ନୂଆପଡ଼ା ଷ୍ଟେଟ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି। ଲଖନା ପଞ୍ଚାୟତର ଜଣେ ୭୦ ବର୍ଷର ବୃଦ୍ଧା ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ହଜାରେ ଟଙ୍କା ଗାଡ଼ି ଭଡ଼ା କରି ଆସିଥିବା ଜଣାପଡ଼ିଛି। ବ୍ୟାଙ୍କରେ ପହଞ୍ଚିବା ପରେ ବୃଦ୍ଧାଙ୍କ ପୁଅ ତାଙ୍କୁ ବୋହିକି ନେଉଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଜଣେ ୭୦ ବର୍ଷର ବୃଦ୍ଧା ଟଙ୍କା ପାଇଁ ଏଭଳି ସମସ୍ୟା ଭୋଗୁଥିବାରୁ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ ଲଖନା ପଞ୍ଚାୟତ ସଲେପଡ଼ା ଗ୍ରାମର ଫୁଲବାଇ ବରିହା (୭୦ ବର୍ଷ)ଙ୍କ ବ୍ୟାଙ୍କ ଖାତାରେ କାଳିଆ ଯୋଜନାର ଟଙ୍କା ୨ବର୍ଷ ହେବ ପଡ଼ିରହିଛି। ତାଙ୍କ ପୁଅ ସନ୍ତୋଷ ବରିଆ ସ୍ଥାନୀୟ ସହଜ ସେବା କେନ୍ଦ୍ରକୁ ବାରମ୍ବାର ଟଙ୍କା ଉଠାଣ ପାଇଁ ଯାଇଥିଲେ ମଧ୍ୟ ଟଙ୍କା ବାହାରିନଥିଲା। ପରବର୍ତ୍ତୀ ସମୟରେ ଟଙ୍କା ଜୁରୁରୀ ହେବାରୁ ସନ୍ତୋଷ ଏକ ଗାଡ଼ି ଭଡ଼ା କରି ବୃଦ୍ଧା ମା’ଙ୍କୁ ନେଇ ସୋମବାର ନୂଆପଡ଼ା ମୁଖ୍ୟ ଷ୍ଟେଟ୍ ବ୍ୟାଙ୍କରେ ପହଞ୍ଚିଥିଲେ। ଗାଡ଼ିଟି ବ୍ୟାଙ୍କ ସମ୍ମୁଖରେ ମା’ପୁଅଙ୍କୁ ଛାଡ଼ିଦେଇଥିଲା। ମା’ ଚାଲିପାରୁନଥିବାରୁ ସନ୍ତୋଷ ତାଙ୍କୁ ବ୍ୟାଙ୍କ ଭିତରକୁ ବୋହିକି ନେଇଥିଲେ। କିଛି ସମୟ ପରେ ଶାଖା ପରିଚାଳକ ବୃଦ୍ଧାଙ୍କୁ ଡାକି ଟଙ୍କା ବାହାର କରିବା ପାଇଁ ସହଯୋଗ କରିଥିଲେ। ପରେ ଆଧାରକାର୍ଡ ସହିତ ଆକାଉଣ୍ଟ୍ ନଂ ଲିଙ୍କ୍ କରାଯାଇଥିଲା। ଜିଲ୍ଲାରେ ବହୁ ବରିଷ୍ଠ ନାଗରିକ ଟଙ୍କା ଉଠାଣ ପାଇଁ ଏପରି ସମସ୍ୟା ଭୋଗୁଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
The post ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉଦାସୀନତା! ଟଙ୍କା ଉଠାଇବାକୁ ଗାଡ଼ି ଭଡ଼ା କରି ଆସିଲେ ୭୦ ବର୍ଷର ବୃଦ୍ଧା first appeared on Sambad.from ଜିଲ୍ଲା | Sambad https://ift.tt/3iNNgfA
0 Comments