
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ପରେ ଦୋଳା ଓ ଡଙ୍ଗାରେ ବୁହା ହୋଇ ଡାକ୍ତରଖାନା ନିଆ ଯାଇଥିଲା। ଡାକ୍ତରଖାନାରେ ତାଙ୍କ ଅସ୍ତ୍ରୋପଚାର ପରେ ସେ ଏକ ମୃତ ସନ୍ତାନ ଜନ୍ମ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଓ ଉଦ୍ବେଗ ପ୍ରକାଶ ପାଇଛି। ଆଙ୍କୁଲିର ଅଭୟ ବେହେରାଙ୍କ ପତ୍ନୀ ସୁବାସିନୀ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିଲେ।
ଆଜି ପ୍ରସବ ବେଦନା ପରେ ତାଙ୍କୁ ଭୋର୍ ସମୟରେ ପ୍ରାୟ ଦୁଇ କିଲୋମିଟର ରାସ୍ତା ଦୋଳାରେ ବୋହି ଆଣିବା ପରେ ଡଙ୍ଗାରେ ବାଘଲଟି ଜଳଭଣ୍ଡାର ପାର କରି ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଥିଲା। ଅପରାହ୍ଣରେ ଅସ୍ତ୍ରୋପଚାର ପରେ ସେ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ।
ଅନ୍ୟପକ୍ଷରେ, ରାସ୍ତା ସମସ୍ୟା ଯୋଗୁଁ ଆଙ୍କୁଲି ପଞ୍ଚାୟତର ଏଲଗଲ, ବେହେରାପୁଟ, ଶିରିଶିଗଣ୍ଡ, ମାଡୁଆଗୁମ୍ମା ଆଦି ପାଞ୍ଚରୁ ଅଧିକ ଗ୍ରାମର ଲୋକେ ବାଘଲଟି ଜଳଭଣ୍ଡାର ହେବା ଯୋଗୁଁ ରାସ୍ତା ହରାଇବା ସହ ଦୁର୍ବିଷହ ଜୀବନଯାପନ କରୁଛନ୍ତି। ଏହି ଗ୍ରାମର ପିଲାଙ୍କ ପଢ଼ା ଠାରୁ ଆରମ୍ଭ କରି ବଜାର ସଉଦା, ଅଫିସ କାମ, ମେଡିକାଲ ଆଦି କାର୍ଯ୍ୟ ପାଇଁ ଜଳଭଣ୍ଡାର ପାର ହୋଇ ତୁରୁବୁଡ଼ି, ଖାରିଆଗୁଡ଼ା ଓ ପାତ୍ରପୁର ଆଦି ଅଞ୍ଚଳକୁ ଯିବାକୁ ପଡୁଛି। ଏହି ସମସ୍ୟା ସଂପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।
The post ଦୋଳା ଓ ଡଙ୍ଗାରେ ବୁହା ହେଲେ ଗର୍ଭବତୀ, ଡାକ୍ତରଖାନାରେ ମୃତ ସନ୍ତାନ ପ୍ରସବ first appeared on Sambad.from ଜିଲ୍ଲା | Sambad https://ift.tt/3xxXXH2
0 Comments