ମାଲକାନଗିରି/କାଲିମେଳା/ପଡିଆ: ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ବନ୍ୟାଜଳ ପଶି ନଦୀ, ନାଳ ସବୁ ଅସ୍ବାଭାବିକ ଭାବେ ଫୁଲି ଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତାଘାଟ ସହ ପୋଲ ଗୁଡ଼ିକ ବୁଡ଼ି ଯିବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯଦି ବର୍ଷା ଏମିତି ଲାଗି ରହିବ ତେବେ ସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଦୁଇଦିନ ତଳେ କାଙ୍ଗୁରକୋଣ୍ତା ଓ କନ୍ୟାଶ୍ରମ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଯାଇଥିଲା। ଯାହାଫଳରେ ୮ଘଣ୍ଟା ଧରି ୩୨୬ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଥିଲା। ଗତକାଲି ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ପୁଣି ଉଭୟ ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ତେଣୁ କାଲିମେଳାରୁ ମାଲକାନଗିରି ଏବଂ କାଲିମେଳାରୁ ପଡିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଆଜି ଅପରାହ୍ନ ୩ଟା ପରେ ପୋଟେରୁ ପୋଲକୁ ବନ୍ୟାଜଳ ବୁଡ଼ାଇ ଦେଇଥିଲା। ଯାହାଫଳରେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼କୁ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଅଘଟଣ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ପୋଲର ଉଭୟପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗାଡ଼ି ଚଳାଚଳକୁ ବନ୍ଦ କରି ଲୋକଙ୍କୁ ସତର୍କ କରାଯାଉଛି। ଗତ ୩ଦିନ ମଧ୍ୟରେ କାଙ୍ଗୁରକୋଣ୍ତା ଓ କନ୍ୟାଶ୍ରମ ପୋଲ ଦୁଇଥର ବୁଡ଼ିସାରିଲାଣି।

ବର୍ଷା ଜାରି ରହିଥିବାରୁ ଜିଲ୍ଲାର ଅନ୍ୟ ସ୍ଥାନରେ ବି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଆଜି ମାଲକାନଗିରି-ବାଲିମେଳା ମଧ୍ୟ ରହିଥିବା କୋରୁକୋଣ୍ଡା ଏବଂ ଏମଭି-୩୭ ପୋଲ ବୁଡ଼ି ଯାଇଛି। ଉଭୟ ପୋଲ ଉପରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ନିଷ୍କାସିତ ହେଉଛି। ତେଣୁ ବାଲିମେଳା ଏବଂ ଚିତ୍ରକୋଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତଳିଆ ଅଂଚଳରେ ପାଣି ପଶିବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଆଗକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି। ପ୍ରଶାସନ ତରଫରୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି। କୋରୁକୋଣ୍ଡା ଏବଂ ଏମଭି-୩୭ ଠାରେ ଉଚ୍ଚ ପୋଲ ନିର୍ମାଣ ଚାଲିଥିବାବେଳେ ୫ବର୍ଷ ହେଲା ସଂପୂର୍ଣ୍ଣ ହୋଇପାରି ନାହିଁ। ଯାହାଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ୍‌ରେ ୮୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ମାଥିଲି ବ୍ଲକ୍‌ରେ ୧୪ ମିଲିମିଟର, ଖଇରପୁଟ ବ୍ଲକ୍‌ରେ ୩୦ ମିମି, ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ ମିଲିମିଟର, କୋରୁକୋଣ୍ଡା ବ୍ଲକ୍‌ରେ ୨୭ ମିଲିମିଟର, କାଲିମେଳା ବ୍ଲକ୍‌ରେ ୧୭ ମିଲିମିଟର, ପଡିଆ ବ୍ଲକ୍‌ରେ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

The post ମାଲକାନଗିରିରେ ବନ୍ୟା ପରିସ୍ଥିତି, ଲଗାଣ ବର୍ଷାରେ ୫ ପୋଲ ବୁଡ଼ିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3iTl4rv