
ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସବୁଠି ଡାକ୍ତର ସମସ୍ୟା ଉତ୍କଟ। କେବଳ ଏତିକି ନୁହେଁ, ପାରା ମେଡିକାଲ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଉଣାଅଧିକେ ସମାନ ପରିସ୍ଥିତି। ସ୍ବାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବାରେ ଏଭଳି ଦୁରବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ବାହାର ଡାକ୍ତରମାନଙ୍କୁ ମଧ୍ୟ ନୟାଗଡ଼ର ବିଭିନ୍ନ ଚିକିତ୍ସାଳୟ ଦାୟିତ୍ବ ପ୍ରଦାନ କରାଯାଉଛି, କିନ୍ତୁ ସେମାନେ ମଧ୍ୟ ଠିକ୍ ଭାବେ ଆସୁନାହାନ୍ତି।
ସଦ୍ୟ ମିଳିଥିବା ତଥ୍ୟ ମୁତାବକ ନୟାଗଡ଼ ଜିଲ୍ଲାରେ ସମୁଦାୟ ୨୬୨ ଗୋଟି ଡାକ୍ତର ପଦବି ଥିବା ବେଳେ ସେଥି ମଧ୍ୟରୁ ୧୪୧ ପଦବି ଖାଲି ପଡ଼ିଛି। ଏମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାଧିକ ୫୨ ଡାକ୍ତର ପଦବି ଥିବା ବେଳେ, ୨୫ ଜଣ ଡାକ୍ତର ନାହାନ୍ତି। ପ୍ରଶାସନିକ ଦାୟିତ୍ବରେ ୮ ଜଣ ଡାକ୍ତର ରହିଥିବା ବେଳେ, ଏଥିରୁ ୩ ପଦବି ଫାଙ୍କା ପଡ଼ିଛି। ଏହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୮ ଡାକ୍ତର ପଦବିରେ କେହି ନାହାନ୍ତି। ଚାନ୍ଦପୁର ବସନ୍ତ ମଞ୍ଜରୀ ହସ୍ପିଟାଲରେ ୨୦ ଡାକ୍ତର ପଦବି ମଧ୍ୟରୁ ୧୦ ଡାକ୍ତର ପଦବି ଖାଲି ପଡ଼ିଛି। ସେହିଭଳି ନୟାଗଡ଼ ବ୍ଲକ୍ରେ ୧୬ ଡାକ୍ତର ପଦବି ମଧ୍ୟରୁ ୧୧, ଭାପୁରରେ ୧୫ ରୁ ୧୦, ଗଣିଆରେ ୧୪ରୁ ୯, ଦଶପଲ୍ଲାରେ ୨୭ରୁ ୧୫, ନୂଆଗାଁରେ ୧୫ରୁ ୯, ଖଣ୍ଡପଡ଼ାରେ ୨୬ ରୁ ୧୭, ରଣପୁରରେ ୨୭ରୁ ୧୩, ଓଡ଼ଗାଁରେ ୨୮ରୁ ୧୬ ଡାକ୍ତର ପଦବି ଖାଲି ପଡ଼ିଛି। ଜିଲ୍ଲାରେ ୧୩ ଡେଣ୍ଟାଲ୍ ସର୍ଜନଙ୍କ ମଧ୍ୟରୁ ୩ ପଦବି ଖାଲି ପଡ଼ିଛି। ଜିଲ୍ଲାରେ ୧୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ଥିବା ବେଳେ, ୩୮ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି), ୧୬୬ ଗୋଟି ସବ୍ ସେଣ୍ଟର୍ ରହିଛି। ତେବେ ଖାଲି ପଡ଼ିଥିବା ଡାକ୍ତର ପଦବି ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ ଡାକ୍ତରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି।
କେବଳ ଏତିକି ନୁହେଁ, ଜିଲ୍ଲାରେ ୯ ଫାର୍ମାସିଷ୍ଟ, ୪୬ ଗୋଟି ଷ୍ଟାଫ୍ ନର୍ସ, ୯୯ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୬ ସହକାରୀ ମ୍ୟାଟ୍ରନ୍, ୬ ବହୁ ମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ, ୧୧ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ପଦବି ଖାଲି ପଡ଼ିଛି। ଏହିଭଳି ଭାବେ ବିଭିନ୍ନ ପାରାମେଡିକାଲ କର୍ମଚାରୀଙ୍କୁ ମିଶାଇ ଜିଲ୍ଲାରେ ୨୦୫ ପାରାମେଡିକାଲ କର୍ମଚାରୀ ପଦବି ଖାଲି ପଡ଼ିଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍) ଅଧୀନରେ ଥିବା ସମୁଦାୟ ୭ଟି ଏମ୍ବିବିଏସ୍ ତଥା ବିଶେଷଜ୍ଞ ଡାକ୍ତର ପଦବିରେ କେହି ନାହାନ୍ତି। ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର, ବିଶେଷ କରି ଡାକ୍ତର ଅଭାବ ନେଇ ଜିଲ୍ଲା ପରିଷଦ ବୈଠକରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନେକ ଥର ଜନ ପ୍ରତିନିଧିମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ତେବେ ଏହା ପରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେଭଳି କୌଣସି ବ୍ୟାପକ ପରିବର୍ତ୍ତନ ଡାକ୍ତର ଅଭାବ ସ୍ଥିତିରେ ଆଣି ପାରନଥିବା ଦେଖାଯାଇଛି। ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିବା, ଆମେ ଏନେଇ ବାରମ୍ବାର ଆଲୋଚନା କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କହୁଛନ୍ତି। କେତେବେଳେ ଜିଲ୍ଲାରେ ସମୁଦାୟ ଡାକ୍ତର ପଦବିର ଅଶୀ-ନବେ ପ୍ରତିଶତ ଡାକ୍ତର ପଦବି ପୂରଣ ହେବ, ବିଶେଷ କରି ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁ ରୋଗ ଭଳି ଡାକ୍ତର ସମସ୍ୟା ଦେଖାଦେବ ନାହିଁ, ତାକୁ ଅପେକ୍ଷା କରାଯାଇଛି।
The post ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ନୟାଗଡ଼ ଜିଲ୍ଲାରେ ୧୪୧ ଡାକ୍ତର ପଦବି ଖାଲି first appeared on Sambad.from ଜିଲ୍ଲା | Sambad https://ift.tt/3z8UjVH
0 Comments