
କୁଳିଅଣା: କଥାରେ ଅଛି ଜୀବନ ଲମ୍ବା ନୁହେଁ; ବଡ଼ ହେବା ଆବଶ୍ୟକ। ଆଉ ନିଜ ୯ବର୍ଷୀୟା ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରି ସେହି କୁନିଝିଅଟିର ଜୀବନକୁ ଢେର ବଡ଼ କରି ଦେଇଛନ୍ତି ତାର ବାପା। ଏଭଳି ମହତ କାର୍ଯ୍ୟ କରି ସେ ନିଜ ଝିଅକୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବାଙ୍କାଶୋଳ ଗ୍ରାମର ଟନ ବାସୁରୀ(୪୮)ଙ୍କ ଝିଅ ଶ୍ରୀୟାଙ୍କ ଗତ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଗାଁ ପୋଖରୀକୁ ଧୁଆଧୁଇ ହେବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇ ଯାଇଥିଲା। ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲା ପରିବାର।
ତେବେ ସ୍ବାଧୀନତା ଦିବସ ଭଳି ପବିତ୍ର ଦିନରେ ଝିଅ ପ୍ରାଣ ହରାଇଥିବାରୁ ତା’ ମୃତ୍ୟୁ ବୃଥା ନଯାଉ ଓ ଝିଅର ଆଖିରେ ଆଉ କିଏ ଦୁନିଆ ଦେଖୁ ବୋଲି ଚାହିଥିଲେ ବାପା। ସେ ଏ ନେଇ ସମ୍ମତି ଦେବା ପରେ ଭୁବନେଶ୍ବର ଏଲଭି ପ୍ରସାଦ ଚକ୍ଷୁ ବ୍ୟାଙ୍କ ଟିମ୍ ବାରିପଦାରେ ପହଞ୍ଚି ଶ୍ରୀୟାର ଉଭୟ ଚକ୍ଷୁ ଠିକ୍ ଥିବା ପରୀକ୍ଷା କରି ଜାଣିଥିଲେ। ଗତକାଲି ବାରିପଦା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପୂର୍ବରୁ ଶ୍ରୀୟାର ଦୁଇଟି ଚକ୍ଷୁ ସଂଗ୍ରହ କରିଥିଲେ ଡାକ୍ତରୀ ଦଳ। ଏଥି ନିମନ୍ତେ ଟନଙ୍କ ପରିବାରକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ବଡ଼ବାପା ରବୀନ୍ଦ୍ର ଓ କକା ଶୁଭେନ୍ଦୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
The post ମୃତ କୁନିଝିଅର ଚକ୍ଷୁଦାନ କରି ଉଦାହରଣ ସୃଷ୍ଟି କଲା ପରିବାର first appeared on Sambad.from ଜିଲ୍ଲା | Sambad https://ift.tt/3squNsA
0 Comments