ବରଗଡ଼ : ବରଗଡ଼ଠାରେ କ୍ୟାନ୍‌ସର୍‌ ହସ୍ପିଟାଲର ରୂପରେଖ ନେଇ ଚାଲିଥିବା ତର୍କ ବିତର୍କର ଅବସାନ ଘଟିଛି। ପୂର୍ଣ୍ଣାଙ୍ଗ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗ ୯୦.୨୭ କୋଟି ଟଙ୍କା ଘୋଷଣା କରିଛି। ଏହି ଟଙ୍କାରେ କେବଳ ହସ୍ପିଟାଲ ପାଇଁ ସ୍ବତନ୍ତ୍ର ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ଯନ୍ତ୍ରପାତି ଏବଂ ଅନ୍ୟ ସରଞ୍ଜାମ ବାବଦକୁ ଆଗାମୀ ଦିନରେ ୩୦ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଂଜୁର ହେବ ବୋଲି ଜଣାପଡ଼ିଛି।

କୋଠାର ତଳ ମହଲାରେ ରେଡିଏସନ୍‌ ଥେରାପି ୟୁନିଟ୍‌, ବଙ୍କର୍‌, ମେଡିକାଲ୍‌ ଅଙ୍କେ‌ାଲୋଜି ଓପିଡ଼ି, ସର୍ଜିକା‌ଲ ଅଙ୍କୋଲୋଜି ଓପିଡି ଓ ୨୦ଶଯ୍ୟା ବିଶିଷ୍ଟ ଡେ’ କେୟାର, ପ୍ରଥମ ମହଲାରେ ପିଇଟିସିଟି, ଦ୍ବିତୀୟ ମହଲାରେ ଗ୍ରାମା ହଟ୍‌ ଚେମ୍ବର, ତୃତୀୟ ମହଲାରେ ଆଇପିଡି ମେଡିକାଲ୍‌ ଅଙ୍କୋଲୋଜି, ଚତୁର୍ଥରେ ସର୍ଜିକା‌ଲ ଅଙ୍କୋଲୋଜି, ପଞ୍ଚମ ମହଲାରେ ୨ଟି ଅସ୍ତ୍ରୋପଚାର କକ୍ଷ, ଏବଂ ଆଇସିୟୁ ବ୍ୟବସ୍ଥା ରହିବ। ସମୁଦାୟ କୋଠା ୧,୩୬,୫୦୦ ବର୍ଗଫୁଟ୍‌ରେ ନିର୍ମାଣ ହେବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏପ୍ରିଲ ୧୬ ତାରିଖ ବରଗଡ଼ କ୍ୟାନସର କେୟାର ହସ୍ପିଟାଲ ପାଇଁ ସ୍ବାସ୍ଥ୍ୟ ବିଭାଗ ୧୦.୪୯ କୋଟି ଟଙ୍କା ମଂଜୁର କରିଥିଲା। କିନ୍ତୁ ଜନସାଧାରଣଙ୍କ ଦାବି ଏବଂ ଜନପ୍ରତିନିଧିଙ୍କ ପୁନଃ ଅନୁରୋଧ କ୍ରମେ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର ପାଇଁ ପୁନଃ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଉଚ୍ଚସ୍ତରୀୟ କମିଟି ବରଗଡ଼ ଆସି ପୂର୍ଣ୍ଣାଙ୍ଗ ହସ୍ପିଟାଲର ଆକଳନ କରିଥିଲେ। ଫଳରେ ପୂର୍ବରୁ ଥିବା ୧୦.୪୯ କୋଟିକୁ ବୃଦ୍ଧି କରି ୯୦.୨୭ କୋଟି ଟଙ୍କା ମଂଜୁର ହୋଇଛି।

ଏହି ନିର୍ମାଣ ପ୍ରକଳ୍ପକୁ ଓଡ଼ିଶା କମ୍ପ୍ରିହେନ୍ସିଭ୍‌ କ୍ୟାନ୍‌ସର୍‌ କେୟାର ପ୍ଲାନ୍‌ରେ ସାମିଲ କରାଯାଇଛି। ଗତ ଜୁନ୍‌ ୧୧ ତାରିଖ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହା ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସାମୂହିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପୂର୍ଣ୍ଣାଙ୍ଗ ହସ୍ପିଟାଲ ପାଇଁ ଦାବି କରିଥିଲେ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖ ନିର୍ମାଣ କାର୍ଯ୍ୟର ଟେଣ୍ଡର ଚୂଡ଼ାନ୍ତ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଧାୟକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

The post ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନସର୍‌ ହସ୍ପିଟାଲ first appeared on Sambad.

from ଜିଲ୍ଲା | Sambad https://ift.tt/2UgMH4y