
ରାଉରକେଲା: ବୀରମିତ୍ରପୁରରେ ଥାନା ଅଧିକାରୀ ପାଲଟିଛନ୍ତି ଜଣେ ଗୃହରକ୍ଷୀ! ସମ୍ପୃକ୍ତ ଗୃହରକ୍ଷୀ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛନ୍ତି, ସେଇଥିରୁ ତାହା ହିଁ ବୁଝାପଡ଼ୁଛି। ଯେମିତି ସେ ଜଣେ ଗୃହରକ୍ଷୀ ନୁହନ୍ତି, ଥାନା ଅଧିକାରୀ। ମିଳିଥିବା ସୂଚନା ଅନୁସାରେ, ଥାନା ଅଧିକାରୀଙ୍କ ପରି ପ୍ରତ୍ୟେକ ମାମଲାରେ ଗୃହରକ୍ଷୀ ମୁଣ୍ଡ ପୂରାଉଛନ୍ତି। ଅନେକ ଘଟଣାରେ ମଧ୍ୟସ୍ଥି ମଧ୍ୟ ସାଜୁଛନ୍ତି। ଏସ୍ପିଙ୍କ ଦାଗିଦ୍ ସତ୍ତ୍ବେ ଥାନା ଭିତରେ ନିୟମିତ ରହୁଛନ୍ତି। ଥାନାର ସବ୍ଇନ୍ସପେକ୍ଟର ଓ ଡିସିଓଙ୍କ ଟେବୁଲ ଆଗ ଚେୟାରରେ ସାଦା ପୋଷାକରେ ଥାନା ଅଧିକାରୀଙ୍କ ଭଳି ଗୋଡ଼ ଉପରେ ଗୋଡ଼ ପକାଇ ବିଭିନ୍ନ ମାମଲା ଫଇସଲା ମଧ୍ୟ କରୁଛନ୍ତି। ଥାନାରେ ଥାନା ଅଧିକାରୀ ପଦବି ଖାଲି ପଡ଼ିଥିବାରୁ ନିଜକୁ ଜଣେ ଇନ୍ସପେକ୍ଟର ପରିଚୟ ଦେବାକୁ ସେ ପଛାଉନାହାନ୍ତି। ଏତିକିରେ କଥା ସରିନି, ରାତିରେ ସେ ବୀରମିତ୍ରପୁର ପୁଲିସ ପାଟ୍ରୋଲିଂ ଗାଡ଼ିରେ ଡ୍ୟୁଟି ମଧ୍ୟ କରୁଛନ୍ତି। ଚାନ୍ଦା ଅସୁଲ କରି ସେ ବେଆଇନ ଗୋରୁଚାଲାଣ, ବାଲି ଓ ପଥର ଚାଲାଣ ସମେତ ଚୋରାମଦ କାରବାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।
ମାସ ମାସ ଧରି ହାତୀବାରି ଥାନାକୁ ନ ଯାଇ ବୀରମିତ୍ରପୁର ଥାନାରେ ଏଭଳି କାମ କରୁଥିଲେ ହେଁ କେହି ତାଙ୍କୁ ବାରଣ କରୁନାହାନ୍ତି। ଏ ସମ୍ପର୍କରେ ହାତୀବାରି ଥାନାର ଏସ୍ଆଇ ଏଚ.କେ. ବେହେରା କହିଛନ୍ତି, ବଦଳି ହୋଇ ଆସିଥିବା ଗୃହରକ୍ଷୀ ଜଣକ କିଛିଦିନ ଡ୍ୟୁଟି କରିବାପରେ ଆସୁନାହାନ୍ତି। ଥାନା ପକ୍ଷରୁ ଗୃହରକ୍ଷୀଙ୍କ ଏଭଳି କାର୍ଯ୍ୟକଳାପ ସଂକ୍ରାନ୍ତରେ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବୀରମିତ୍ରପୁର ଏସ୍ଡିପିଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି, ‘ଏମିତି ହେବା କଥା ନୁହେଁ। ଆସନ୍ତାକାଲି (ବୁଧବାର) ଠାରୁ ଯେମିତି ଗୃହରକ୍ଷୀ ଜଣକ ଥାନା ଭିତରକୁ ନ ପଶନ୍ତି ସେ ବ୍ୟବସ୍ଥା କରାଯାଉଛି।’
The post ଗୃହରକ୍ଷୀ ବନିଛନ୍ତି ଥାନା ଅଧିକାରୀ! first appeared on Sambad.from ଜିଲ୍ଲା | Sambad https://ift.tt/38azRIh
0 Comments