
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ୧୨ ମାସରେ ବିଭିନ୍ନ ଜଙ୍ଗଲିଜାତ ଦ୍ରବ୍ୟକୁ ସଂଗ୍ରହ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି। ସେଥିମଧ୍ୟରୁ ବାଉଁଶ ଗଜା ବା କରଡି ଅନ୍ୟତମ। ବର୍ଷା ଋତୁରେ ବାଉଁଶ ଗଜା ବାହାରିଥାଏ। ଏହାକୁ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଆଦିବାସୀ ଭାଇଭଉଣୀ ମାନେ। କରଡି ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଋତୁରେ କରଡି ସଂଗ୍ରହ କରାଯାଇଥାଏ। କରଡିର ଚାହିଦା ଏବେ ବେଶ ଅଧିକା ରହିଛି। ପୂର୍ବରୁ କରଡି ବିଡା ୫ ଟଙ୍କା ରହିଥିବା ବେଳେ ଏବେ ତାହା ୨୦ ଟଙ୍କା ରହିଛି। ତାହା ମଧ୍ୟ ବିଡାରେ ସେତେବେଳେ ଦଶଟିରୁ ୧୨ଟି କରଡି ରହୁଥିଲା ଏବେ ମାତ୍ର ଚାରୋଟି କିମ୍ବା ପାଞ୍ଚୋଟି କରଡି ରହୁଛି। ଆଦିବାସୀ ଭାଇମାନେ କରଡି ସଂଗ୍ରହ କରିବା ପରେ ନିଜେ ତାହାକୁ ଖାଦ୍ୟ ରୂପେ ଖାଇବା ପରେ ଯାହା ରହିଯାଏ ତାକୁ ହାଟ ବଜାରରେ ବିକ୍ରି କରନ୍ତି। ତେବେ ସାଧାରଣ ଲୋକ ମଧ୍ୟ ଏବେ ଏହି କରଡିକୁ ବେଶ ପସନ୍ଦ କରୁଛନ୍ତି। ସାଧାରଣ ଲୋକେ ପ୍ରତିବର୍ଷ ଏହି କରଡି ଖାଇବାକୁ ଅନାଇ ବସିଥାନ୍ତି। କରଡିରେ ସୁସ୍ବାଦୁ ତରକାରୀ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଶୁଖାଇ ମଧ୍ୟ ବର୍ଷ ତମାମ ଆଦିବାସୀ ସମ୍ପ୍ରଦାୟକ ଲୋକେ ଖାଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ଚାହିଦା ଦେଖି ଦୁର୍ଗମ ଗ୍ରାମ ଗୁଡିକରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସକାଳୁ ଜଙ୍ଗଲକୁ କରଡି ସଂଗ୍ରହ କରିବାକୁ ବାହାରି ପଡନ୍ତି। ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରଡିର ପସରା ଦେଖିବାକୁ ମିଳୁଛି।
ସକାଳୁ ମାଣ୍ଡିଆ ଜାଉ ଖାଇ ଦେଇ ଜଙ୍ଗଲରେ ପଶି ଏହାକୁ ଖୋଜି ଖୋଜି ସଂଗ୍ରହ କରିଥାନ୍ତି। କରଡିର ଦାମ ମାତ୍ରାଧିକ ବୃଦ୍ଧି ପାଇଥିଲେ ମଧ୍ୟ ଲୋକେ ଏହାକୁ ଖରିଦ କରି ନେଇ ଖାଉଥିବା ଦେଖିବାକୁ ମିଳିଛି। ଋତୁ ଅନୁଯାୟୀ ଆଦିବାସୀମାନେ ବିଭିନ୍ନ ଜଙ୍ଗଲଜାତି ଦ୍ରବ୍ୟ ସଂଗ୍ରହ କରି ତାକୁ ହାଟ ବଜାରରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି। ଅନ୍ୟ ଦିଗରେ ଜଙ୍ଗଲ ଧିରେଧିରେ କମି କମି ଯାଉଥିବାରୁ ବହୁ ଜିନିଷ ଦୁର୍ଲଭ ହେବାକୁ ବସିଲାଣି। ବହୁ ସମୟରେ ଜୀବନକୁ ବିପନ୍ନ କରି ମଧ୍ୟ ଏସବୁ ଜିନିଷ ସଂଗ୍ରହ କରାଯାଇଥାଏ। ତେବେ ବନ ବିଭାଗ ପକ୍ଷରୁ କରଡି ସଂଗ୍ରହ ବେଳେ ବାଧା ସୃଷ୍ଟି କରୁଥିବାରୁ ଲୋକେ ଏହାକୁ ସଂଗ୍ରହ କରିବାକୁ ମଧ୍ୟ ଭୟ କରୁଥିବା ଦେଖିବାକୁ ମିଳିଛି। ବହୁ ସମୟରେ ବନ ବିଭାଗର କର୍ମଚାରୀ ଗରିବ ଆଦିବାସୀମାନେ ସଂଗ୍ରହ କରିଥିବା କରଡିକୁ ଫିଙ୍ଗି ଦେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି।
The post ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିଛି କରଡି, ବଢୁଛି ଚାହିଦା first appeared on Sambad.from ଜିଲ୍ଲା | Sambad https://ift.tt/3s2Qvm9
0 Comments