ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଉପକାରାଗାରକୁ ଦେଢ଼ ଶହ ବର୍ଷ ହୋଇଗଲାଣି। କାରାଗାରର କଏଦୀ ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ନୂତନ ଉପକାରାଗାର ନିର୍ମାଣ ପାଇଁ ୨୦୦୯ରେ ଯୋଜନା ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଗଲାଣି। କମିଟି ପରେ କମିଟି ଗଠନ କରାଯାଇ ପ୍ରସ୍ତାବ ପଠାଯାଉଛି, କିନ୍ତୁ ନିର୍ମାଣ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ।

ମିଳିଥିବା ସୂଚନା ଅନୁସାରେ, ୨୦୦୯ରେ ପ୍ରଥମ ଥର ପାଇଁ ଏକ ନୂତନ ଉପକାରାଗାର ନିର୍ମାଣ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ବାରଭୂଜାଠାରେ ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଜମି ଅଧିଗ୍ରହଣ କରିବାକୁ ତହସିଲଦାରଙ୍କୁ ଉପକାରାଗାର କର୍ତ୍ତୃପକ୍ଷ ଆବେଦନ କରିଥିଲେ। ଏହା ପରେ କୌଣସି କାରଣରୁ ଏହା ଅଟକି ଯାଇଥିଲା। ପୁଣି ଥରେ ୨୦୧୨–୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କଏଦୀ ମାନବାଧିକାର କମିଟିର ସୁପାରିଶରେ, ଜେଲ୍‌ରେ ଲାଇବ୍ରେରି, ସମ୍ମିଳନୀ କକ୍ଷ, ଖେଳପଡ଼ିଆ, ଖାଇବା ପ୍ରକୋଷ୍ଠ, ଜେଲ୍ କର୍ମଚାରୀଙ୍କ ପାଇଁ କ୍ବାଟର ଆଦି ନିର୍ମାଣରେ ଖୋର୍ଦ୍ଧା ଉପକାରାଗାରରେ ସ୍ଥାନ ଅଭାବ ଥିବାରୁ ପୁଣିଥରେ ନୂତନ କାରାଗାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସେହିବର୍ଷ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜମି ଚିହ୍ନଟ ପାଇଁ କମିଟି ଗଠନ କରାଯାଇଥିଲା। ତେବେ କମିଟି ଗଠନର ୧ ବର୍ଷ ମଧ୍ୟରେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଯିବା ଓ ଏହାର ମିଆଦ ପୂରି ଯିବାରୁ ପୁଣି ୨୦୧୪ରେ ଆଉ ଏକ କମିଟି ଗଠନ କରାଗଲା। ୨୦୧୫ରେ ୧୦ ଏକର ଜମି ଅଧିଗ୍ରହଣ ପାଇଁ ତହସିଲଦାରଙ୍କ ନିକଟରେ ଆବେଦନ ହୋଇଥିଲା। ବର୍ତ୍ତମାନ ୬ ବର୍ଷ ବିତିଯାଇଛି, କିନ୍ତୁ କୌଣସି ଜମି ଚିହ୍ନଟ କିମ୍ବା ଅଧିଗ୍ରହଣ ହୋଇପାରିନାହିଁ।

ଏନେଇ ସବ୍‌ଜେଲ୍ ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଜେଲ୍‌ର କ୍ଷମତା ୨୫୮ କଏଦୀ। ଜେଲର କର୍ମଚାରୀଙ୍କ କ୍ବାଟର, କାର୍ଯ୍ୟାଳୟ ଆଦି ମିଶାଇ ଜେଲ୍‌ ପରିସୀମା ୧.୭ ଏକର। ନୂତନ ଜେଲ ମାନୁଆଲ୍‌ ଅନୁସାରେ ଏତେ ସଂଖ୍ୟକ କଏଦୀଙ୍କ ପାଇଁ ଏହି ସୀମିତ ସ୍ଥାନ ମଧ୍ୟରେ ଆବଶ୍ୟକ ଭିତ୍ତିଭୂମିର ନିର୍ମାଣ କରାଯାଇପାରିବ ନାହିଁ। କେବଳ ଏହାନୁହେଁ, ଗୋଟିଏ ପଟ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ ଲାଗିଛି, ଅନ୍ୟପଟରେ ବର୍ତ୍ତମାନ ଜବରଦଖଲ ହୋଇ ନିର୍ମାଣ କାର୍ଯ୍ୟକରାଯାଉଛି। ଫଳରେ ଜେଲର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାସହ ସହରର ଜନସଂଖ୍ୟା ଓ ଜେଲ୍‌ର ଆଖପାଖରେ ବାସଗୃହ ବୃଦ୍ଧି ପାଉଥିବାରୁ ଜେଲର ସ୍ଥାନାନ୍ତର ନିହାତି ଆବଶ୍ୟକ। ଏନେଇ ୨୦୦୯ରୁ ପ୍ରଚେଷ୍ଟା ଚାଲିଛି। ବର୍ତ୍ତମାନ ଜିଲ୍ଲାପାଳ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଉପକାରାଗାର ନିର୍ମାଣ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

The post ଖୋର୍ଦ୍ଧା: ୧୨ ବର୍ଷ ବିତିଲା, ନୂତନ ଉପକାରାଗାର ପାଇଁ ଜମି ଚିହ୍ନଟ ସରୁନି first appeared on Sambad.

from ଜିଲ୍ଲା | Sambad https://ift.tt/2Xv81Vb