କୋଟିଆରେ ଅନୁପ୍ରବେଶ ଘଟଣା: ଉଦ୍ୟମ ପଣ୍ଡ ପରେ ଚିନ୍ତାରେ ଆନ୍ଧ୍ର

କୋରାପୁଟ/ପଟାଙ୍ଗି: ଓଡ଼ିଶାର କଡ଼ା ତଥା ସ୍ପଷ୍ଟ ଆଭିମୁଖ୍ୟ ଆନ୍ଧ୍ରର ଅନୁପ୍ରବେଶ ଓ ଅକ୍ତିଆର ଉଦ୍ୟମରେ ଅଙ୍କୁଶ ଲଗାଇ ଦେଇଛି। ଆଉ ପୂର୍ବଭଳି ଖୋଲାଖୋଲି ପ୍ରବେଶ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧି। ଯାହାକୁ ନେଇ ଚିନ୍ତିତ ରହିଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା ପିଡ଼ିକା। ଯଦି ତୁରନ୍ତ କୌଣସି ଉପାୟ ବାହାର ନ ହୁଏ ତେବେ କୋଟିଆ ଦଖଲ କରିବାର ସ୍ବପ୍ନ ସବୁଦିନ ପାଇଁ ଧୂଳିସାତ୍‌ ହୋଇଯିବ ବୋଲି ଆଶଙ୍କା କଲେଣି। ଏଥିପାଇଁ ନିଜ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନ ମୋହନ ରେଡ୍ଡିଙ୍କୁ ଭେଟି ଗୁହାରି କରିଛନ୍ତି ସାଲୁର ବିଧାୟକ। ତେବେ, କିଛିକିଛି କାମ ଲୁଚାଛପାରେ କରୁଥିବା ଦେଖିବାକୁ ମିଳୁଛି।

ଅଗଷ୍ଟ ୧୬ତାରିଖ ଦିନର ଘଟଣାକୁ ଆଦୌ କଳ୍ପନା କିମ୍ବା କଳନା କରିପାରି ନଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ସାଲୁର ବିଧାୟକ। ଓଡ଼ିଶାର ହୁଙ୍କାର ଯୋଗୁ ଶେଷ ମୁହୂର୍ତ୍ତରେ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ଦୁଇରୁ ତିନି ଥର କୋଟିଆକୁ ଆସିଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ। କିନ୍ତୁ ଲୁଚିଛପି ଆସି ଗୋପାନରେ ସବୁ କାମ କରୁଛନ୍ତି। ତେଣୁ ଲୋକଙ୍କ ଉପରେ ଆନ୍ଧ୍ରର ଆଉ ପ୍ରଭାବ ପଡ଼ୁନାହିଁ। ଏମିତି ସ୍ଥିତିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଲୁର ବିଧାୟକ ଅକ୍ଷମତା ପ୍ରକାଶ କରିଥିବା ସୂଚନା ମିଳିଛି। ଆନ୍ଧ୍ରର ଅର୍ଥନୈତିକ ମୂଲ୍ୟାୟନ ପାଣ୍ଠିର ଅଧ୍ୟକ୍ଷ ଅଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା। ଅର୍ଥନୈତିକ ପଛୁଆ ବର୍ଗଙ୍କ ଉନ୍ନତି ନିମନ୍ତେ ଏହି ପାଣ୍ଠିକୁ ବିନିଯୋଗ କରାଯାଉଛି। କୋଟିଆରେ ଏହି ପାଣ୍ଠିକୁ ବିନିଯୋଗ କରିବାକୁ ବଡ଼ ଯୋଜନା ହୋଇଥିଲା। କିନ୍ତୁ ଖର୍ଚ୍ଚ କରିବା ପୂର୍ବରୁ ଓଡ଼ିଶାର ପ୍ରତିରୋଧ ଯୋଗୁ ଏହି ଟଙ୍କା ଖର୍ଚ୍ଚ ନେଇ ସନ୍ଦେହ ପ୍ରକାଶ ପାଇଛି। ଯଦି ଠିକ୍‌ ସମୟରେ ଅନୁଦାନ ଖର୍ଚ୍ଚ ନହୁଏ ତେବେ ଫେରିଯିବ। ଏମିତିରେ କେମିତି ଖର୍ଚ୍ଚ କରିବେ ସେହି ଚିନ୍ତା ନେଇ ଜଗନଙ୍କୁ ସାଲୁର ବିଧାୟକ ଭେଟିଥିଲେ। ସେହିପରି ଓଡ଼ିଶା ପକ୍ଷରୁ କେଉଁଭଳି ଶକ୍ତି ପ୍ରଦର୍ଶନ କରାଯାଉଛି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ କେଉଁ ଭଳି ରଣନୀତିରେ ଆନ୍ଧ୍ରର ଅଭିଯାନକୁ ଭଣ୍ଡୁର କରୁଛନ୍ତି ତାହା ଜଣାଇଥିବା ସୂଚନା ମିଳିଛି। ଅସହାୟତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଜଗନ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଆନ୍ଧ୍ରର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସାଲୁର ନିର୍ବାଚନ ମଣ୍ଡଳୀରେ ଏକାଧିକ ପଞ୍ଚାୟତ ରହିଛି। ବହୁ ଗାଁକୁ ରାସ୍ତାଘାଟ କିମ୍ବା ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ପାରିନି। ସେହି ଅଞ୍ଚଳର ବିକାଶ କରିବା ପରିବର୍ତ୍ତେ କୋଟିଆ ପାଇଁ ଏତେ ଦରଦ କାହିଁକି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏମିତି ସ୍ଥିତିରେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତା ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ର ରାଜ୍ୟପାଳଙ୍କୁ ଭେଟିବେ ବୋଲି ଯୋଜନା ଚାଲିଛି। ଅନ୍ୟପକ୍ଷରେ, ଆଜି ଆନ୍ଧ୍ର ପକ୍ଷରୁ କୋଟିଆରେ ପଶୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ତଳଗଞ୍ଜେଇପଦର, ଉପରସେମ୍ବୀ, ତଳସେମ୍ବୀ ଓ ଧୂଳିପଦର ଗାଁରେ ଏହି ଶିବିର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ମୋଟ ୪ଶହ ଗୋଈଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରାଯାଇଥିଲା। ୩୦୦ରୁ ଊର୍ଦ୍ଧ୍ବ ଗାଈଗୋରୁଙ୍କ ଟିକାକରଣ କରିଥିବା ଜଣାପଡ଼ିଛି।

The post କୋଟିଆରେ ଅନୁପ୍ରବେଶ ଘଟଣା: ଉଦ୍ୟମ ପଣ୍ଡ ପରେ ଚିନ୍ତାରେ ଆନ୍ଧ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3jf9DuE

Post a Comment

0 Comments