ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ପୁଲିସ ଦୁଇ ନାବାଳକଙ୍କ ସମେତ ଇନ୍ଦିରା କଲୋନିର ମହେଶ ଲୋହାର (୨୧)କୁ ଗିରଫ କରିଛି।

ବଡ଼ବିଲ ପୁଲିସର ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଅଭିଯୁକ୍ତ ମହେଶ ଏବଂ ଅନ୍ୟ ଦୁଇ ନାବାଳକଙ୍କୁ ପୂର୍ବରୁ ଜାଣିଥିଲେ। ୫ ତାରିଖ ରାତି ପ୍ରାୟ ୯ଟାବେଳେ ଅଭିଯୁକ୍ତମାନେ ଯୁବତୀଙ୍କ ଘରେ ପହଞ୍ଚିଥିଲେ। କୌଣସି ଏକ ବିଷୟରେ ଆଲୋଚନା କରିବାକୁ ଘରଠାରୁ ପାଞ୍ଚଶହ ମିଟର ଦୂର ଏକ ନିଛାଟିଆ‌ ସ୍ଥାନକୁ ଡାକି ନେଇଥିଲେ। ସେଠାରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଚପଲ ଏବଂ ପୋଷାକ ଛାଡ଼ି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଲୋକେ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କ ଚପଲ ଏବଂ ପୋଷାକ ଜବତ କରିଥିଲା। ଏନେଇ ଗତକାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୧୩୧/୨୧ ଦଫା ୩୭୬ (ଡି) ଏବଂ ୫୦୬ରେ ମାମଲା‌ ରୁଜୁ କରି ମୁଖ୍ୟ ଅଭିଯୁକ୍ତ ମହେଶ ଏବଂ ଦୁଇ ନାବାଳକଙ୍କୁ ଗିରଫ କରିଛି। ସମସ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଦୁଇ ନାବାଳକଙ୍କୁ ରାଉରକେଲାସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ମହେଶକୁ କୋର୍ଟଚାଲାଣ କରାଯାଇଛି।

The post ଯୁୁବତୀଙ୍କୁ ଗଣଦୁଷ୍କର୍ମ, ଦୁଇ ନାବାଳକଙ୍କ ସମେତ ୩ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ixdaUS