ନିରାକାରପୁର : ଆସନ୍ତା ୨୨ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ଏହିଦିନ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀମାନେ ସେମାନଙ୍କ ଦୀର୍ଘ ଜୀବନ କାମନା କରିବା ପାଇଁ ନିଜ ସୁରକ୍ଷା ପାଇଁ ଅଲିଖିତ ପ୍ରତିଶ୍ରୁତିଟିଏ ଆଦାୟ କରି ନେଇଥାନ୍ତି। ତେଣୁ ଆମ ସମାଜରେ ରାକ୍ଷୀ ପୂର୍ଣ୍ଣିମା ବେଶ୍‌ ଗୁରୁତ୍ବ ବହନ କରେ। ଏହି ସମୟରେ କେତେକ ରାକ୍ଷୀ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିଥାନ୍ତି। ତେବେ ଗତ ୨ବର୍ଷଧରି ବିଭିନ୍ନ ଅଞ୍ଚଳରେ ଖୋଲୁଥିବା ରାକ୍ଷୀ ଦୋକାନ ଉପରେ କରୋନା ମାଡ଼ ପଡ଼ିଛି।

ତେବେ ଚଳିତ ମାସରେ କରୋନା କଟକଣାରେ ଟିକେ କୋହଳ ଯୋଗୁ ହାତ ବନ୍ଧି ବସିଥିବା ଯୁବଗୋଷ୍ଠୀବିଭିନ୍ନ ଛକ, ବଜାରରେ ଏହି ପସରା ଖୋଲିବା ଆରମ୍ଭ କରିଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନ ଖୋଲୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭଲବେପାର ହୋଇନାହିଁ। ପାଖାପାଖି ଦେଢବର୍ଷରୁ ଅଧିକ ଦିନର ଅପେକ୍ଷା ପରେ ଦୁଇପଇସା ରୋଜଗାର ଆଶା ରଖି ଦୋକାନ ଖୋଲିଥିବା ବ୍ୟବସାୟୀମାନେ ଏବେ ହାତ ବାନ୍ଧି ବସିଛନ୍ତି। ନିରାକାରପୁର ସମେତ ପଡ଼ୋଶୀ ପଞ୍ଚାୟତରେ ଶହଶହ ସଂଖ୍ୟାରେ ଏହି ଦୋକାନ ଖୋଲିଥିଲେ ମଧ୍ୟ ଆଶାନୁରୂପ ବ୍ୟବସାୟ ହେଉନଥିବାରୁ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ରାକ୍ଷୀ ପୂର୍ଣ୍ଣିମା ଆହୁରି ପ୍ରାୟ ୯ ଦିନ ବାକି ଥିବାରୁ ଅବସ୍ଥାରେ ସୁଧାର ଆସିବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।

The post ରାକ୍ଷୀ ଦୋକାନ ଉପରେ କରୋନା ମାଡ଼: ଜମୁନି ବେପାର, ଚିନ୍ତାରେ ବ୍ୟବସାୟୀ first appeared on Sambad.

from ଜିଲ୍ଲା | Sambad https://ift.tt/3g24ofK