
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଚିଫ୍ ଜୁଡିସିଆଲ୍ କୋର୍ଟରେ ସୋମବାର ଏକ ମାମଲାର ଶୁଣାଣି ହୋଇଥିଲା। ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୋଟେର ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ପ୍ରବୀଣ ଠାକୁର ଓ ଅଫିସ ଆସିଷ୍ଟାଣ୍ଟ୍ ଲଳିତ ଶବରଙ୍କୁ ୧କୋଟି ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗରେ ୭ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ପ୍ରତ୍ୟେକଙ୍କୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମୋଟେର ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ପ୍ରବୀଣ ଓ ଅଫିସ ଆସିଷ୍ଟାଣ୍ଟ ଲଳିତ ବ୍ୟାଙ୍କର ଟଙ୍କାଙ୍କୁ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ୧କୋଟି ୨୩ ଲକ୍ଷ ୩୦ ହଜାର ୧ଶହ ୮୦ଟଙ୍କା ପ୍ରବୀଣଙ୍କ ବ୍ୟାଙ୍କ ଆକାଉଣ୍ଟ (୮୪୦୩୦୦୬୮୩୫୫) ରେ ଜମା ହୋଇଥିବା ଜଣା ପଡ଼ିଥିଲା। ଏହି ତଥ୍ୟ ହସ୍ତଗତ ହେବା ପରେ ଭବାନୀପାଟଣାଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ରିଜିଓନାଲ୍ ମ୍ୟାନେଜର ଅସୀମ ପାତ୍ର ଗତ ୨୦୧୮ ମସିହା ଡିସେମ୍ବର ୧୯ ତାରିଖରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋମବାର ଭବାନୀପାଟଣା ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଡ. କିରଣ ପ୍ରଧାନ ଏହି ମାମଲାର ଶୁଣାଣି କରିଥିଲେ। ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଅନୁପ ଷଡ଼ଙ୍ଗୀ ଏହି ମାମଲା ପରିଚାଳନା କରୁଥିଲେ।
The post ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଓ ଅଫିସ ଆସିଷ୍ଟାଣ୍ଟଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/2VUIXX6
0 Comments