
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପକଡ଼ାଝର ଜଳପ୍ରପାତରେ ବୁଡ଼ି ବ୍ରହ୍ମପୁରରୁ ଯାଇଥିବା ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ବ୍ରହ୍ମପୁରର ସୁଦିତ ପୂଜାରୀ। ଅଳ୍ପ କିଛିଦିନ ହେଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିବା ଡାକ୍ତର ଅନୁରାଗ କୋଟା, ଡାକ୍ତର ଗିରିଜା ବେହେରାଙ୍କ ସହିତ ବୁଲିବାକୁ ଆସିଥିବା ସେମାନଙ୍କ ବନ୍ଧୁ ବ୍ରହ୍ମପୁରର ସୁଦିତ ପୂଜାରୀ ଓ ତାଙ୍କ ପତ୍ନୀ ଦୀପିକା ପ୍ରଧାନ ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ସୁଡ୍ରୁକୁମ୍ପାର ପକଡ଼ାଝର ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଏହି ୪ ଜଣ ପକଡ଼ାଝର ଜଳକୁଣ୍ଡରେ ଗାଧୋଇବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ଅସାବଧାନତା କାରଣରୁ ଏମାନେ ପାଣି ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହି ଯାଇଥିଲେ। ବହୁ କଷ୍ଟରେ ସୁଦିତଙ୍କ ପତ୍ନୀ ଦୀପିକା ଓ ଦୁଇ ଡାକ୍ତରଙ୍କୁ ଉଦ୍ଧାର କରା ଯାଇଥିଲା। ତେବେ ସୁଦିତ ପାଣିରେ ବୁଡ଼ି ଯାଇ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ଜଳକୁଣ୍ଡରେ ନିଖୋଜ ହୋଇ ଯାଇଥିବା ସୁଦିତଙ୍କୁ ପାଇ ନଥିଲେ। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଏବଂ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି ସଦସ୍ୟଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ନିଖୋଜ ପର୍ଯ୍ୟଟକଙ୍କ ସନ୍ଧାନ ମିଳିପାରି ନାହିଁ। ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।
The post ପକଡ଼ାଝର ଜଳପ୍ରପାତରେ ବୁଡ଼ି ପର୍ଯ୍ୟଟକ ନିଖୋଜ, ପତ୍ନୀ ଓ ଦୁଇ ଡାକ୍ତର ବନ୍ଧୁ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3AWE9A0
0 Comments