
ସମ୍ବଲପୁର : ଗୁରୁବାର ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ପରିପ୍ରେକ୍ଷୀରେ ଭାରତ-ଯୁକ୍ତରାଷ୍ଟ ଆମେରିକାର ସଂପର୍କ ଉପରେ ୱେବିନାର ଅନୁଷ୍ଠିତ ହୋଇଯାଇଛି। ୱାସିଂଟନ୍ ଡିସିସ୍ଥିତ ସିଏସ୍ଆଇଏସ୍ର ଭାରତ- ଆମେରିକା ନୀତି ଉପରେ କାର୍ଯ୍ୟରତ ୱାଧାନି ଚେୟାରର ରିଚାର୍ଡ ଏମ୍. ରୋଷୋ ‘ଏକ ସ୍ଥାୟୀ ସଂପର୍କ ନିମନ୍ତେ ଭାରତ-ଆମେରିକାର କର୍କଶ ପଥ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ।
ସେ କହିଲେ, ଆମେରିକା, ଭାରତ ଓ ଚୀନ ଶିଳ୍ପବହୁଳ ରାଷ୍ଟ୍ର ହୋଇଥିବାରୁ ପାଣିପାଗ ପରିବର୍ତ୍ତନ, ମାନବ ସମ୍ବଳର ବିକାଶ, ଆଂଚଳିକ ନିରାପତ୍ତା ସହିତ ବୃହତ ବଜାର ଆଦି ପ୍ରସଂଗ ଭାରତ-ଆମେରିକାର ସଂପର୍କ ନେଇ ବେଶ୍ ଗୁରୁତ୍ବ ବହନ କରେ। ବର୍ତ୍ତମାନର ମୋଦୀ ସରକାର ବ୍ୟବସାୟିକ ସଂସ୍କାର ଅର୍ଥନୈତିକ ସଂପର୍କ ସ୍ଥାପନ ଏବଂ ବିଦେଶୀ ପୁଂଜିନିବେଶ ପାଇଁ ବହୁତ ଭଲ ବୋଲି ସେ କହିଥିଲେ। ମାଲ୍ ବ୍ୟବସାୟ (ଗୁଡ୍ସ ଟ୍ରେଡ୍) କ୍ଷେତ୍ରରେ ଭାରତ ଓ ଚୀନର ଜିଡିପି ଏବେ ସମାନ ରହିଛି। ଭାରତ ମହାସାଗରୀୟ ଅଂଚଳର ଚୀନ ଏକ ବଡ଼ ପ୍ରତିଯୋଗୀ ଭାବେ ଉଭା ହୋଇଛି। ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘କ୍ବାଡ’ ଦେଶଗୁଡ଼ିକ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପ୍ରତିରକ୍ଷା, ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ, ପାଣିପାଗ କଥାବର୍ତ୍ତା ଜରିଆରେ ଭାରତ-ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଥିଲେ।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ କହିଲେ, ଶିକ୍ଷା ଓ ଉଦ୍ୟୋଗ କ୍ଷେତ୍ରରେ ନୂଆ ଷ୍ଟାର୍ଟ ଅଫ୍ ଭାରତ-ଆମେରିକା ସଂପର୍କକୁ ଆହୁରି ସୁଦୃଢ଼ କରିପାରିବ। ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଶିକ୍ଷା ଓ ଉଦ୍ୟୋଗ ସଂପର୍କିତ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ସତ୍ୟ ପ୍ରକାଶ ଦାଶ ଅତିଥି ପରିଚୟ ପ୍ରଦାନ ସହିତ ଶୀଷର୍କ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ।
The post ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୱେବିନାର: ମୋଦୀ ସରକାରଙ୍କ ସଂସ୍କାର ଭାରତ-ଆମେରିକା ସଂପର୍କ ସୁଦୃଢ଼ କରିବ first appeared on Sambad.from ଜିଲ୍ଲା | Sambad https://ift.tt/3yZGOXR
0 Comments