ବାରିପଦା : ନିରାମୟ ଯୋଜନା ନାଁରେ ରୋଗୀଙ୍କୁ ଦିଆଯାଉଛି ବିଷାକ୍ତ ଔଷଧ। ଔଷଧ ସେବନ ପରେ ଜୀବନ ଯିବାର ଭୟ ରହିଛି। ରବିବାର ଦିନ ବାରିପଦାସ୍ଥିତ ପିଆରଏମ୍‌ ହସ୍ପିଟାଲରୁ ଆସିଛି ଏପରି ସଙ୍ଗିନ ଅଭିଯୋଗ। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏକ ଔଷଧ ବୋତଲରୁ ବାହାରିଛି କୌଣସି ଏକ ଛୋଟ ଅଜଣା ସରୀସୃପର ମୃତଦେହ।

ସୂଚନାଯୋଗ୍ୟ, ବାରିପଦା ଥାନା ଅଧୀନ ଶୁନଗଡ଼ିଆ ଅଞ୍ଚଳର ସେକ୍‌ ସେରାଜୁଲ ନିଜ ୩ ବର୍ଷର ଛୁଆର ଦେହ ଖରାପ ଥିବାରୁ ଆଜି ସକାଳେ ପିଆର୍‌ଏମ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତର ପିଲା‌ଟିର ପରୀକ୍ଷା କରି ଔଷଧ ଚିଠା ଲେଖିଥିଲେ। ସେକ୍‌ ନିରାମୟ କେନ୍ଦ୍ରରୁ ଉକ୍ତ ଔଷଧ ଆଣି ଛୁଆକୁ ଖୁଆଇବା ପାଇଁ ଯାଉଥିବାବେଳେ ଭିତରୁ ବିଛା କିମ୍ବା ସାପ ଭଳି ଦେଖାଯାଉଥିବା କିଛି ଜନିଷ ବୋତଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ବାବୁ ସେହି ଔଷଧକୁ ଦେଖି ସାରିବା ପରେ ତୁରନ୍ତ ଫିଙ୍ଗି ଦେବାପାଇଁ ବାଧ୍ୟ କରିଥିଲେ। ସେକ୍‌ ଏ ନେଇ ନିରାମୟ କେନ୍ଦ୍ରରେ ଅଭିଯୋଗ କରିବାରୁ ସେମାନେ ଓଲଟା ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ‘ ତୁମେ ଔଷଧ ତିଆରି କରିଥିବା କମ୍ପାନିକୁ ଯାଇ ଅଭିଯୋଗ କର। ଯାହା ସରକାରଙ୍କ ପକ୍ଷରୁ ଦିଆଯାଉଛି, ତାହା ଆମେ ଦେଉଛୁ’ ବୋଲି ଟିପ୍ପଣୀ ଦେଇଥିଲେ।

ଏହାପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରି ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସେକ୍‌। ରାଜ୍ୟ ସରକାରଙ୍କୁ ଔଷଧ ବିତରଣ କରୁଥିବା କମ୍ପାନୀ କିଭଳି ଭାବରେ ରୋଗୀଙ୍କ ଜୀବନ ସହିତ ଖେଳୁଛି ତାହା ଏହି ଘଟଣାରୁ ଜଳଜଳ ଦେଖାଯାଉଛି। ଏନେଇ ପିଆର୍‌ଏମ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ନିରାମୟ ଯୋଜନା ଔଷଧ ନିରାପଦ କି? first appeared on Sambad.

from ଜିଲ୍ଲା | Sambad https://ift.tt/3za7y7U