ଷଢ଼େଇକଳାରେ ଓଡ଼ିଆଙ୍କ ବିକ୍ଷୋଭ ଓ ଧାରଣା ଆଜି

ରାଇରଙ୍ଗପୁର : ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ। ହେଲେ ବିଡ଼ମ୍ବନା, ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବିତୀୟ ରାଜ୍ୟଭାଷା ଓଡ଼ିଆକୁ ଉଚ୍ଛେଦ କରିବା ଲାଗି ନି‌ଷ୍ପତ୍ତି ନେଇଛି। ଅର୍ଥାତ୍ ଝାଡ଼ଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ବି ଓଡ଼ିଆ ଭାଷାରେ ପଢ଼ିପାରିବେ ନାହିଁ। ଝାଡ଼ଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଓଡ଼ିଆ ଭାଷାଭାଷୀ ବହୁଳ ଜିଲ୍ଲା ଷଢ଼େଇକଳା, ଖରସୁଆଁ, ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ନେଇ ବିରାଟ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଷଢ଼େଇକଳାସ୍ଥିତ ଉତ୍କଳମଣି ଆଦର୍ଶ ପାଠାଗାର ସଭାଗୃହରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ପ୍ରତି ଝାଡ଼ଖଣ୍ଡ ସରକାରଙ୍କ ଅବଜ୍ଞା, ଅଣଦେଖା ଓ ଅବହେଳାକୁ ବିରୋଧ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାଡ଼ଖଣ୍ଡ ସଂଖ୍ୟାଲଘୁ ଭାଷା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷାଭାଷୀ ଲୋକେ ଝାଡ଼ଖଣ୍ଡର ଦ୍ବିତୀୟ ରାଜଭାଷା ଓଡ଼ିଆ ପ୍ରତି ସେଠାକାର ସରକାରଙ୍କ ଅବହେଳା ଓ ଉପେକ୍ଷା ନୀତିକୁ ନିନ୍ଦା କରିଥିଲେ। ଭାରତର ସମସ୍ତ ନାଗରିକ ନିଜ ନିଜ ମାତୃଭାଷାରେ ଲେଖିପଢ଼ି ପାରିବାର ସାମ୍ବିଧାନିକ ଅଧିକାର ରହିଛି। ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡ ସରକାର ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ ମଧ୍ୟ ଆରମ୍ଭରୁ ଏଥିପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି। ସାମ୍ବିଧାନିକ ନିୟମକୁ ଜଳାଞ୍ଜଳି ଦେଇ ଓଡ଼ିଆ ପିଲାମାନଙ୍କୁ ମାତୃଭାଷାରେ ପଢ଼ିବାରୁ ବଞ୍ଚିତ କରାଯାଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଓଡ଼ିଆ ଭାଷାର କଣ୍ଠରୋଧ ପାଇଁ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ହୀନ ଉଦ୍ୟମ ଓ ଅପଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ଉପସ୍ଥିତ ସମସ୍ତ ଓଡ଼ିଆ ଭାଷାଭାଷୀ କହିଥିଲେ। ମାତୃଭାଷାର ସୁ୍ରକ୍ଷା ପାଇଁ ୨୮ ସେପ୍ଟେମ୍ବର ପୂର୍ବାହ୍ନରେ ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକେ ଗଣଧାରଣାରେ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଷଢ଼େଇକଳା ଓଡ଼ିଆ ସମାଜ, ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ସୁଶୀଳ ଷଡ଼ଙ୍ଗୀ, ଉତ୍କଳମଣି ଆଦର୍ଶ ପାଠାଗାରର ଉପସଭାପତି ସୁଦୀପ୍ତ ପଟ୍ଟନାୟକ, ଓଡ଼ିଆ ସଂଗଠକ ବଦ୍ରିନାରାୟଣ ଦାରୋଗା, ରାଜା ଜ୍ୟୋତିଷୀ, ଚନ୍ଦ୍ରଶେଖର କର, କାଶୀନାଥ କର, ଅନୁପ ରଥ, ସାନ କବି, ରବି ଶତପଥୀ, ବିଶ୍ଵଜିତ, ପର୍ଶୁରାମ କବି, କୋଲହୁ ମହାପାତ୍ର ଓ ଅନ୍ୟାନ୍ୟ ନେତୃସ୍ଥାନୀୟ ଓଡ଼ିଆ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହାରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ୪ ଟି ଆଞ୍ଚଳିକ ଭାଷାକୁ ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା ଦେଇଥିଲେ। ଅନ୍ୟ ୩ଟି ଭାଷା ହେଉଛି, ସାନ୍ତାଳୀ, ବଙ୍ଗଳା ଓ ଉର୍ଦ୍ଦୁ। ସରକାରଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ସେଠାକାର ଓଡ଼ିଆ ଭାଷାଭାଷୀ କେବଳ ସ୍ବାଗତ କରିନଥିଲେ ଓଡ଼ିଶାରେ ମଧ୍ୟ ଖୁସିର ଲହରୀ ଖେଳିଯାଇଥିଲା। ତେ‌ବେ, ଏହାର ଠିକ୍‌ ୧୦ ବର୍ଷ ପରେ ବର୍ତ୍ତମାନର ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସାନ୍ତାଳୀ, ବଙ୍ଗଳା ଓ ଉର୍ଦ୍ଦୁର ମାନ୍ୟତା ପ୍ରତ୍ୟାହାର ହୋଇନଥିବାବେଳେ ଓଡ଼ିଆକୁ ଦ୍ବିତୀୟ ଭାଷାର ମାନ୍ୟତା ପ୍ରତ୍ୟାହାର କରାଯାଇଛି।

The post ଝାଡ଼ଖଣ୍ଡରେ ଆଉ କେହି ପଢ଼ିପା‌ରିବେନି ଓଡ଼ିଆ! first appeared on Sambad.

from ଜିଲ୍ଲା | Sambad https://ift.tt/3ujlWK4