କେନ୍ଦୁଝର : କେନ୍ଦୁଝର ସହରରେ ନକଲି ପୁଲିସ। ସହରର ଟାଉନ ଥାନା ସମ୍ମୁଖରେ ଜଣେ ନକଲି ପୁଲିସ ଏକ ମୋବାଇଲ ଦୋକାନୀଙ୍କୁ ଧମକ ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, କଟକ ଜିଲ୍ଲା ମଧୁପାଟଣା ଥାନା ନୂଆପଡ଼ା ଅଞ୍ଚଳର ସୁନୀଲ କୁମାର ଦାସ (୩୪) କେନ୍ଦୁଝର ପାର୍କଲାଇନ୍‌ରେ ରହୁଥିଲେ। ସେ ନିଜକୁ ଟାଉନ ଥାନାର ବଡ଼ବାବୁ ବୋଲି ପରିଚୟ ଦେଇ ଥାନା ପାଖ ପାର୍କ ନିକଟରେ ଥିବା ମୋବାଇଲ ମରାମତି ଦୋକାନକୁ ନିଜ ମୋବାଇଲ ଫୋନ୍‌ ମରାମତି କରିବାକୁ ଦେଇଥିଲେ। ଦୋକାନକୁ ଆସି ପ୍ରଥମେ ନିଜକୁ ଥାନାର ବଡ଼ବାବୁ ବୋଲି କହି ଶୀଘ୍ର କାମ କରିବାକୁ ନିର୍ଦେଶ ଦେଇଥିଲେ। ମୋବାଇଲ ମରାମତି ସରିବା ପରେ ସମ୍ପୂର୍ଣ୍ଣ ଅର୍ଥ ଦେଇନଥିଲେ। ଦୋକାନ ମାଲିକ ଟଙ୍କା ମାଗିବାରୁ ଥାନାକୁ ଯିବାକୁ ଧମକ ଦେଇଥିଲେ।

ଏନେଇ ମୋବାଇଲ ମରାମତି ଦୋକାନ ମାଲିକ ରାଜେଶ କୁମାର ନାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୩୪୭/୨୧ ଦଫା ୪୧୯, ୪୨୦, ୨୯୪, ୫୦୬ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ସୁନୀଲକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

The post ନକଲି ପୁଲିସ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2XsaHmo