ବାରିପଦା: ସମସ୍ତ ସରକାରୀ ପ୍ରକ୍ରିୟା ପାଳନ ହୋଇଛି। ଇତିମଧ୍ୟରେ ୮ ବର୍ଷ ବିତିଗଲାଣି। ତଥାପି ନିୟମିତ ହୋଇପାରୁନାହାନ୍ତି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୧୨୩ ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ। ଏନେଇ ଶିକ୍ଷକ ମହଲରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନିକ ଉଦାସୀନତା କାରଣରୁ ଏପରି ହୋଇଥିବାରୁ ଆଗାମୀ ସାତ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ। ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ୧୨୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଆଜିକୁ ୭ ବର୍ଷ ୭ ମାସ ଅର୍ଥାତ୍ ପାଖାପାଖି ୮ ବର୍ଷ ପୂର୍ବରୁ ନିଯୁକ୍ତି ପାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ସରକାର ନିୟମିତ କରିନାହାନ୍ତି।ନିଯୁକ୍ତିର ୬ ବର୍ଷ ପୂରଣ ପରେ ନିୟମିତ କରିବାକୁ ସରକାରୀ ନିୟମ ଥାଇ ବି ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରାଯାଇନାହିଁ।୬ ବର୍ଷ ପୂରଣ କରି ପ୍ରାୟ ଅଧିକ ୧ ବର୍ଷ ୭ ମାସ ଅର୍ଥାତ୍ ୮ ବର୍ଷ କାର୍ୟ୍ୟ କରିଆସୁଥିଲେ ମଧ୍ୟ ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିୟମିତ ହୋଇପାରିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ଫେବ୍ରୁଆରି ମାସ ଜିଲ୍ଲାରୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ନିୟମିତ ପ୍ରସ୍ତାବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯାଇଥିଲା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ମଧ୍ୟ ସମସ୍ତ ପ୍ରକାର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇ ଚିଠି ନଂ:-୧୫୬୦୪/ତାରିଖ:-୦୭-୦୬-୨୦୨୧ ରେ ସଚିବାଳୟକୁ ପଠାଯାଇଥିଲା। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ:-୧୧୩୪୨/ତାରିଖ:-୨୯-୦୬-୨୦୨୧ ରେ ବିଭାଗ ତରଫରୁ ବିନା କିଛି ଅସୁବିଧା ଥାଇ ବି ନିୟମିତ ଫାଇଲ୍ ଟିକୁ କ୍ବାରି କରିଦିଆଯାଇଥିଲା। ଯାହା ଫଳରେ ପ୍ରାୟ ଗୋଟିଏ ମାସ ବିଳମ୍ବ ପରେ ପୁଣି କ୍ବାରିର ଉତ୍ତର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିଲେ। ଚିଠି ନଂ:-୧୯୭୪୯/ତାରିଖ:-୦୨-୦୮-୨୦୨୧ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉତ୍ତର ଦିଆଯାଇଥିଲା। ଏହା ପରେ ବି ଆଜିକୁ ବହୁତ୍ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିୟମିତ ହୋଇପାରିନାହାନ୍ତି। ସଚିବାଳୟରେ ନିୟମିତ ଫାଇଲ୍ ଟି ବହୁତ୍ ମନ୍ଥର ଗତିରେ ଗତି କରି ଅର୍ଥ ବିଭାଗରେ ପହଞ୍ଚି ଥିଲେ ମଧ୍ୟ ଅର୍ଥ ବିଭାଗରେ ଗତ ୧୫ ଦିନରୁ ପଡି ରହିଛି।କୌଣସି କାରଣ ନଥାଇ ବି ଫାଇଲ୍ ଟି ଅର୍ଥ ବିଭାଗରେ ପଡି ରହିଛି।ଯାହାର ଫଳ ସାରା ଓଡିଶାର ୩୦୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ମୟୂରଭଞ୍ଜରୁ ୧୨୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଭଗୁଛନ୍ତି।ଖୁବ୍ ସ୍ବଳ୍ପ ଦରମାରେ ସେମାନେ ନାନାଦି ଦୁଃଖ କଷ୍ଟରେ ନିଜର ପରିବାର ପ୍ରତି ପୋଷଣ କରୁଛନ୍ତି। ସରକାର ୫ଟି କଥା କହୁଛନ୍ତି କିନ୍ତୁ ଶିକ୍ଷକ ମାନଙ୍କୁ ନିୟମିତ କରିବା କ୍ଷେତ୍ରରେ ୫ଟି କୌଣସି ପ୍ରକାର କାର୍ୟ୍ୟ କରୁନଥିବା ଅଭିଯୋଗ ହୋଇଛି।
ଦୀର୍ଘ ଅପେକ୍ଷା ପରେ ମୟୂରଭଞ୍ଜର ୧୨୩ ଜଣ ଶିକ୍ଷକ ନିଜର ହକ୍ ପାଇଁ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ରାଜ୍ୟ ସଂଘର ମହାସଚିବ ବିଶ୍ବଜିତ୍ ବିଶ୍ବାଳ ସରକାରଙ୍କୁ ଚେତାବନି ଦେଇଛନ୍ତି। ୭ ଦିନ ମଧ୍ୟରେ ସରକାର ମୟୂରଭଞ୍ଜର ୧୨୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ନିୟମିତ ନକଲେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ହାଇବାକୁ ରାଜ୍ୟ ସଂଘର ନିଷ୍ପତି ଗ୍ରହଣ ହୋଇଅଛି।
The post ୮ ବର୍ଷ ବିତିବା ପରେ ବି ନିୟମିତ ହୋଇପାରୁନାହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୧୨୩ ଚୁକ୍ତିଭିତ୍ତିକ ଶିକ୍ଷକ first appeared on Sambad.

from ଜିଲ୍ଲା | Sambad https://ift.tt/2Z5uWar