ଭବାନୀପାଟଣା : ବେଦାନ୍ତ ପକ୍ଷରୁ ବିସ୍ଥାପିତ ଯୁବକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଲିମ ନାଁରେ ଶୋଷଣ କରାଯାଉଥିବା ଅଭିଯୋଗ କରି ଯୁବକମାନେ ବୁଧବାର କମ୍ପାନିର ସିଏସ୍‌ଆର ଅଫିସକୁ ଧସେଇ ପଶିଥିଲେ।

ଅଭିଯୋଗ ଅନୁସାରେ, ବିସ୍ଥାପିତ ହୋଇ ଭିଟାମାଟି ହରାଇଥିବା ଲାଞ୍ଜିଗଡ଼ ବ୍ଲକ୍‌ ରେଙ୍ଗୋପାଲି କୋର୍ଟଦ୍ବାର ଓ ବସନ୍ତପଡ଼ାରେ ଲୋକଙ୍କୁ ବେଦାନ୍ତ ପକ୍ଷରୁ ଥଇଥାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା। ଘର ଓ ଜମି ଯିବା ପରେ ବାସଚ୍ୟୁତ ହୋଇଥିବା ପରିବାରର ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ଏହାପରେ ସେମାନଙ୍କୁ ଭୁବନେଶ୍ବରରେ ଆଇଟିଆଇ ତାଲିମ ପାଇଁ ପଠାଯାଇଥିଲା। ୩ଟି ଗ୍ରାମର ୯୨ଜଣ ଯୁବକଙ୍କୁ ତାଲିମ ପରେ ଚାକିରି ଦିଆଯିବ ବୋଲି କମ୍ପାନି ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ତାଲିମ କେନ୍ଦ୍ରରେ ବ୍ୟାପକ ଅବହେଳା ହେଉଥିଲେ ବି ପ୍ରତିବାଦ କଲେ ବାହାର କରାଯିବ ବୋଲି ଧମକ ମିଳୁଥିଲା। ଏନେଇ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନଥିଲା।

ଶେଷରେ ବୁଧବାର ରେଙ୍ଗୋପାଲି, କୋର୍ଟଦ୍ବାର, ବନ୍ଦଗୁଡ଼ା ଅଞ୍ଚଳର ଶତାଧିକ ଯୁବକ ବେଦାନ୍ତ ଫାଟକ ସମ୍ମୁଖରେ ଏକତ୍ରିତ ହୋଇ ସିଏସ୍‌ଆର ଅଫିସ୍‌କୁ ଧସେଇ ପଶିଥିଲେ। ସେଠାକାର ଅଧିକାରୀ ବିନୋଦ ରଥଙ୍କୁ ସମ୍ପୃକ୍ତ ଯୁବକମାନେ ଦାବିପତ୍ର ଦେଇଥିଲେ। କମ୍ପାନି ପକ୍ଷରୁ ଭଲ ତାଲିମ ଓ ଚାକିରି ଦିଆନଗଲେ ବେଦାନ୍ତ ଗେଟ୍‌ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପ୍ରଫୁଲ୍ଲ ନାଏକ, କୃଷ୍ଣ ଖରିଜନ, ଗଜାନନ୍ଦ ମାଝୀ, ବିନୋଦ କୁମାର, ଧନେଶ୍ବର ହରିଜନ ପ୍ରମୁଖଙ୍କ ନେତୃତ୍ବରେ ଯୁବକମାନେ ସିଏସ୍‌ଆର ଅଫିସ ଘେରିଥିଲେ।

The post ବେଦାନ୍ତ ପକ୍ଷରୁ ବିସ୍ଥାପିତଙ୍କୁ ଅଣଦେଖାର ପ୍ରତିବାଦ, ସିଏସ୍‌ଆର ଅଫିସକୁ ଧସେଇ ପଶିଲେ ଉତ୍ତ୍ୟକ୍ତ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3EIkENz