
ଡିଏଫ୍ଓଙ୍କୁ ଘଣ୍ଟ ଘୋଡ଼ା ଉଦ୍ୟମ ଅଭିଯୋଗ
ପ୍ରମୁଖ ଅଭିଯୁକ୍ତ ହୋଇ ବି ବଦଳି ନାହିଁ
ବ୍ରହ୍ମପୁର/ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ। ପୁଲିସ ପରେ କ୍ରାଇମ୍ବ୍ରାଞ୍ଚ୍ ଥଳକୂଳ ପାଉନି। ଏହି ପରିପ୍ରେକ୍ଷୀରେ ଡିଏଫ୍ଓ କଲୋନିର ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗାଧର ପ୍ରଧାନଙ୍କ ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ଡିସେମ୍ବର ଶେଷ ସପ୍ତାହରେ ସେ ଡ୍ୟୁଟି କରୁଥିବା ବେଳେ ଥରେ ଡିଏଫ୍ଓ ସଂଗ୍ରାମ ବେହେରା ରାତି ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଏସିଏଫ୍ଙ୍କ କ୍ବାର୍ଟର୍ସକୁ ଯାଉଥିବା ସେ ଦେଖିଥିଲେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଘଟଣାର ଅନେକ ରହସ୍ୟ ବନ ବିଭାଗ କର୍ମଚାରୀମାନେ ଜାଣିଥିଲେ ମଧ୍ୟ ଡିଏଫ୍ଓଙ୍କ ଭୟରେ ପାଟି ଖୋଲୁନାହାନ୍ତି। ଆବଶ୍ୟକ ପଡ଼ିଲେ ତଦନ୍ତକାରୀ ଅଧିକାରୀଙ୍କୁ ସବୁ ତଥ୍ୟ ଦେବେ ବୋଲି ଗଙ୍ଗାଧର କହିଛନ୍ତି। ଘଟଣାର ପ୍ରାୟ ୫୬ ଦିନ ପରେ ଗଙ୍ଗାଧରଙ୍କ ଏହି ବୟାନ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନାରୁ ଜଣାପଡ଼ିଛି, ଗଙ୍ଗାଧର ଯାଜପୁର ଗ୍ରାମର ମୂଳବାସିନ୍ଦା ଓ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହନ୍ତି। ଗଙ୍ଗାଧର ଅସ୍ଥାୟୀ କର୍ମଚାରୀ ଭାବେ ‘ହାତୀ ତଥ୍ୟ ଅନୁସନ୍ଧାନ ସ୍କ୍ୱାଡ୍’ରେ ଭୁବନେଶ୍ୱରର ଏକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପାରଳାଖେମୁଣ୍ଡି ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଥିଲା। ଗତବର୍ଷ ଡିସେମ୍ବର ୩୧ ତାରିଖ ଦିନ ଗଙ୍ଗାଧରଙ୍କ ଚାକିରିକୁ ଭୁବନେଶ୍ୱରର ଉକ୍ତ ସଂସ୍ଥା ରଦ୍ଦ କରିଥିଲା। ଗଣମାଧ୍ୟମକୁ ଗଙ୍ଗାଧର କହିଛନ୍ତି, ଚାକିରି ଯିବା ପରେ ସେ ବର୍ତ୍ତମାନ ଅଟୋଚାଳକ ଭାବେ କାମ କରୁଛନ୍ତି।
ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା, କୌଣସି ସଙ୍ଗିନ୍ ଘଟଣାରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ ସାମ୍ନାକୁ ଆସିଲେ ତାଙ୍କୁ ଅନ୍ୟତ୍ର ବଦଳି କିମ୍ବା ନିଲମ୍ବନ ଭଳି ପଦକ୍ଷେପ ନିଆଯାଇଥାଏ। କିନ୍ତୁ ଡିଏଫଓଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଭିଯୁକ୍ତ ଡିଏଫ୍ଓଙ୍କୁ ଘଣ୍ଟ ଘୋଡ଼ାଇବାକୁ ଭିତିରିଆ ଷଡ଼ଯନ୍ତ୍ର ଚାଲିଛି। ଏହି ସମ୍ବେଦନଶୀଳ ଘଟଣାରେ ଅନ୍ୟତମ ଅଭିଯୁକ୍ତ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କୁ ସାମ୍ନାସାମ୍ନି ଜେରା କରାଇବା ଦିଗରେ କ୍ରାଇମ୍ବ୍ରାଞ୍ଚ୍ ଏ ପର୍ଯ୍ୟନ୍ତ ପଦକ୍ଷେପ ନେଇନି। ସେମାନଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ୍ ଦିଗରେ ମଧ୍ୟ ପୂର୍ବରୁ କ୍ରାଇମ୍ବ୍ରାଞ୍ଚ୍ ସୂଚନା ଦେଇଥିଲା ବେଳେ କୌଣସି ପଦକ୍ଷେପ ନିଆଯାଇନି। ଗତ ମାସରେ ପାରଳାଖେମୁଣ୍ଡିକୁ ଆସି କ୍ରାଇମବ୍ରାଞ୍ଚ୍ ଟିମ୍ ଡିଏଫଓଙ୍କୁ ଜେରା କରିବା ପରେ ତାଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ୍ କରିବା ଦିଗରେ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ଆଗେଇ ପାରିନି। ଆଗକୁ ତଦନ୍ତ ପ୍ରକ୍ରିୟା କେଉଁ ଦିଗକୁ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା।
The post ଏସିଏଫ୍ ମୃତ୍ୟୁର ୫୦ ଦିନ ପରେ…ମୁହଁ ଖୋଲିଲେ ରାତି ଜଗୁଆଳି first appeared on Sambad.from ଜିଲ୍ଲା | Sambad https://ift.tt/38EZmBV
0 Comments