ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହା ସହ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨ ତାରିଖଠାରୁ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାମାନେ ସେଠାରେ ଡେରା ପକାଇବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସେମାନେ ଆଉ ତିନି ଦିନ ରହି ବିଭିନ୍ନ ବ୍ଲକ୍‌ରେ କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରଖିବେ। ଏହା ପରେ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଆପାତତଃ ଚୂଡ଼ାନ୍ତ ହୋଇଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଚୂଡ଼ାନ୍ତ ହୋଇଥିଲା। ତେବେ ବାତ୍ୟା ଓ ବର୍ଷା ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା।

କୋଭିଡ୍‌ ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଛି। ମାଲକାନଗିରି‌ରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାହା ପରେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରିସାରିଛନ୍ତି। ଗଜପତି ହେବ ତାଙ୍କର ଚତୁର୍ଥ ଜିଲ୍ଲା ଗସ୍ତ। ଏହା ପରେ ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଜାରି ରହିବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି।

The post ୪ରେ ଗଜପତି ଯିବେ ମୁଖ୍ୟମନ୍ତ୍ରୀ, ୮ରେ ମୟୂରଭଞ୍ଜ ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3mbZjDZ