ବାରିପଦା : ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପଛୁଆ ବର୍ଗ କାର୍ଡ। ଜିଲ୍ଲାରେ ଥିବା ପଛୁଆ ବର୍ଗଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଏନେଇ ବିଜେପି ରାଜ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଜିଲ୍ଲା ଗସ୍ତ କରିଛନ୍ତି। ଆଲୋଚନାଚକ୍ର ଜରିଆରେ ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର କିପରି ଅବହେଳା କରୁଛନ୍ତି ସେନେଇ ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ବ୍ରଜମୋହନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବାରିପଦା ସର୍କିଟ୍‌ ହାଉସ୍‌ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ କମିଶନଙ୍କ ସୁପାରିସ ରାଜ୍ୟ ସରକାର ଆଦୌ କାର୍ଯ୍ୟକାରୀ କରୁନଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ରାଜ୍ୟ ସରକାର ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ ରଖୁଛନ୍ତି ତାହା ସାର୍ବଜନୀନ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ। ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ନିମନ୍ତେ କଂଗ୍ରେସ ଓ ବିଜେଡି ଆଗ୍ରହ ପ୍ରଦର୍ଶନ କରୁଥିବାବେଳେ ପଛୁଆ ବର୍ଗଙ୍କ ବେଳକୁ କାହିଁକି ନିଷ୍କ୍ରିୟତା ପ୍ରଦର୍ଶନ କରୁଛନ୍ତି ପ୍ରଶ୍ନ କରି ଉଭୟ ଦଳକୁ ଘେରିବାକୁ ଚେଷ୍ଟା କରିଛି ବିଜେପି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ ସହରାଞ୍ଚଳ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର, ପଛୁଆ ବର୍ଗ ନେତା ଜ୍ଞାନେନ୍ଦ୍ର କୁମାର ସ୍ବାଇଁ, ଦୁର୍ଗା ପ୍ରଶନ୍ନ ନାୟକ, ସୌଭାଗ୍ୟ କୁମାର ସାହୁ, ସଂଗ୍ରାମ କେଶରି ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଶୁଭାସିସ ମହାନ୍ତି, ପ୍ରବିଣ କୁମାର ପାତ୍ର, ରଞ୍ଜନ କୁମାର ମଢୁଆଳ, ନିରଞ୍ଜନ ଦାଶ ପ୍ରମୁଖ ନେତୃବର୍ଗ ଅଂଶ ଗ୍ରହଣ କରି ପଛୁଆ ବର୍ଗ ଜନଜାତିଙ୍କ ପ୍ରତି ହେଉଥିବା ବିଭିନ୍ନ ଅବହେଳା ସଂମ୍ପର୍କରେ ଆଲୋଚନା କରିଥିଲେ ।

The post ମୟୂରଭଞ୍ଜରେ ପଛୁଆ ବର୍ଗ କାର୍ଡ ଖୋଲିଲା ବିଜେପି, ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲା first appeared on Sambad.

from ଜିଲ୍ଲା | Sambad https://ift.tt/3Ec6RPh