
ବାମରା : ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱର୍ଗତ ଦିଲୀପ ଦର୍କାଙ୍କ ୬ ବର୍ଷ ପୁଅ ସୁଗମ ଦର୍କାଙ୍କୁ ଶନିବାର କେହି ଦୁର୍ବୃତ୍ତ ଅପହରଣ କରି ପ୍ରାଣାନ୍ତକ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ତାକୁ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପରିବାର ଲୋକେ ରାତି ସାରା ଖୋଜାଖୋଜି କରି ସୁଗମର କୌଣସି ଖୋଜଖବର ନ ପାଇ ଗୁରୁଣ୍ଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରବିବାର ଦିନ ତମାମ ଗୁରୁଣ୍ଡିଆ ପୁଲିସ ଓ ଗ୍ରାମବାସୀ ମିଶି ମିଳିତ ଭାବେ ଖୋଜିବାରୁ ଅପରାହ୍ଣରେ ସୁଗମକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରୁ ତାକୁ ଚିକିତ୍ସା ପାଇଁ ପ୍ରଥମେ କୁଚିଣ୍ଡା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାଯାଇଛି। ଏନେଇ ଗୁରୁଣ୍ଡିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ ସୁଗମ ଶନିବାର ଅପରାହ୍ଣରେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇ ଘରକୁ ଫେରି ନଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ମା’ ବ୍ୟସ୍ତ ବିବ୍ରତ ହୋଇ ପଡ଼ୋଶୀଙ୍କ ଏକଥା କହିଥିଲେ। ସମସ୍ତେ ମିଶି ଖୋଜାଖୋଜି କରିବା ପରେ ବି ସୁଗମର ଟେର ପାଇ ନଥିଲେ। ରବିବାର ଜଣେ ଗାଈ ଜଗୁଆଳି ତାକୁ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ। ଖବର ପାଇ ପୁଲିସ ତାକୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ହେଁ ପୂର୍ବ ଶତ୍ରୁତାରୁ ଏହିଭଳି ଘଟଣା ଘଟିଥାଇ ପାରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
The post ୬ ବର୍ଷର ଶିଶୁକୁ ଅପହରଣ କରି ଆକ୍ରମଣ, ଗୁରତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3m5jRxV
0 Comments