ବୌଦ୍ଧ : ଆଠ ଦଫା ଦାବି ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଦାବିଗୁଡ଼ିକ ଜିଲ୍ଲାର ସାମଗ୍ରିକ ଉନ୍ନତି ପର୍ଯ୍ୟବେଷିତ ହୋଇଥିବାରୁ ଲୋକେ ସ୍ବତସ୍ଫୁର୍ତ୍ତ ଭାବରେ ସମର୍ଥନ କରିଥିଲେ। ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ଆଡିସିରେ ସାମିଲ କରିବା, ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା, ଜିଲ୍ଲାରେ ଆଉ ଗୋଟିଏ ନୂତନ ସବ୍‌ଡିଭିଜନ ଘୋଷଣା, ଜିଲ୍ଲା ପରିଷଦ ଜୋନ ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନର୍ଗଠନ କରି ମନମୁଣ୍ଡା, ବାଉଁଶୁଣୀ ଓ ବଘିଆପଡ଼ାକୁ ନୂତନ ବ୍ଲକ ଘୋଷଣା, ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟାକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ୬୯ ପଞ୍ଚାୟତକୁ ବୃଦ୍ଧି କରି ୧୨୧ କରିବା, ବୌଦ୍ଧଗଡ଼ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରି କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ନୂତନ ଏନଏସି ଘୋଷଣା, ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ଘଣ୍ଟାପଡ଼ା, ଶଗଡ଼ା, ବଘିଆପଡ଼ା ଓ ଆଡ଼େଣିଗଡ଼ ଆଦି ଫାଣ୍ଡିକୁ ଥାନାରେ ଉନ୍ନିତ କରିବା, ଏଥି ସହିତ ଦପଲା, ପଲସାଗୋରା, ସହାଜପାଲ, ମର୍ଜାକୁଦ, ଧଳପୁର, ବୀରନରସିଂହପୁର ଓ ମହାଲିକପଡ଼ାରେ ନୂତନ ଫାଣ୍ଡି ସ୍ଥାପନା ଆଦି ଦାବି ରହିଛି।

ବନ୍ଦ ପ୍ରଭାବ ଯୋଗୁଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ଠପ୍‌ ହୋଇ ଯାଇଥିଲା। ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଜିଲ୍ଲା ମଧ୍ୟ ଦେଇ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିଥିଲା। ତେବେ ଜରୁରୀକାଳୀନ ସେବାକୁ ବନ୍ଦ ପରିସରଭୁକ୍ତ କରାଯାଇ ନଥିଲା। ସ୍ବାସ୍ଥ୍ୟ ସେବା ପାଇଁ ଯାତାୟତ କରୁଥିବା ଯାନବାହନ ଚଳାଚଳ ସ୍ବାଭାବିକ ଥିଲା। ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ମୁଖ୍ୟ ସ୍ଥାନରେ ସକାଳ ୬ଟାରେ ରାସ୍ତା ଅବରୋଧ କରାଯାଇଥିଲା। ବୌଦ୍ଧ ସହରର ବ୍ରିଜ ଛକ, ଏନ୍‌ଏସି ଛକ, ବୁଟୁପାଲି ଛକ ଆଦି ପ୍ରବେଶ ପଥରେ ଦଳର କର୍ମକର୍ତ୍ତା ଓ କର୍ମୀ ରାସ୍ତା ମଝିରେ ଚୌକି ପକାଇ ବସି ଅବରୋଧ କରିଥିଲେ। ଅଫିସ ଖୋଲିବା ସମୟରେ ବିଭିନ୍ନ ଅଫିସର ସମ୍ମୁଖର ପିକେଟିଂ କରି ବନ୍ଦ କରାଯାଇଥିଲା। ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସଭାପତି ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, ସୁଧିର କର୍ଣ୍ଣ, ପିସିସି ସଦସ୍ୟ ରାୟ ସଂଜୀବ ଦେଓ, ଏସ୍‌ସି ସେଲର ଜାମିନୀ ମୁଖୀ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ଦାସ, ଶିବ ଚରଣ ବେହେରା, ତାରିଣୀ ଜେନା, ଗଣେଷ ଅଗ୍ରୱାଲ, ଚିତ୍ତ ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ମହାକୁଳଙ୍କ ସହ ଅନେକ କର୍ମୀ ସାମିଲ ଥିଲେ।

The post ଜିଲ୍ଲା କଂଗ୍ରେସର ବୌଦ୍ଧ ବନ୍ଦ ଡାକରା ସଫଳ first appeared on Sambad.

from ଜିଲ୍ଲା | Sambad https://ift.tt/2WSp2c3