
ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଜମିହରା ବିସ୍ଥାପିତଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜମିଦେଇ ବିସ୍ଥାପିତମାନେ କାରଖାନାରେ ନିଯୁକ୍ତି ପାଇଥିଲେ। ଏବେ କାରଖାନା ବନ୍ଦ ହେବାରୁ ସେମାନଙ୍କ ପରିବାର ଭୋକ ଉପାସରେ ଛଟପଟ ହେଉଛନ୍ତି।
ସୂଚନା ଅନୁଯାୟୀ, ଏହି ଶିଳ୍ପାଞ୍ଚଳରେ ଥିବା ମେସ୍କୋ, ନୀଳାଚଳ ଓ ମୈଥାନ କାରଖାନା ବନ୍ଦ ହୋଇ ରହିଛି। ଏବେ କେବଳ ମୈଥାନ କରଖାନାକୁ ଚଳାଇବା ପାଇଁ ରକ୍ଷଣାବେକ୍ଷଣ କାମ ଚାଲୁଛି। କଳିଙ୍ଗନଗରରେ ଥିବା ବିଜୁବାବୁଙ୍କ ସ୍ୱପ୍ନର ପ୍ରଥମ କାରଖାନା ମେସ୍କୋରେ ମଧ୍ୟ ସମାନ ଅବସ୍ଥା। ଏହି କାରଖାନା ପାଇଁ ସିଆରିଆ, ଖୁରୁଣ୍ଟି, ମାନପୁର ଆଦି ଅଞ୍ଚଳର ଲୋକେ ବିସ୍ଥାପିତ ହୋଇଥିଲେ। ଗତ ୨୦୧୯ ମସିହା ଡିସେମ୍ବର ମାସରୁ କାରଖାନା ବନ୍ଦ ହୋଇଯାଇଛି। ୨୦୨୦ ଫେବ୍ରୁଆରି ମାସରୁ କାରଖାନା କର୍ତ୍ତୃପକ୍ଷ ନୋ ୱାର୍କ ନୋ ପେ ଲାଗୁ କରିଛନ୍ତି। ୧୯ ମାସ ବନ୍ଦହେବା ପରେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଏହି କାରଖାନାକୁ ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଏପରି ସ୍ଥିତିରେ କାରଖାନାର ରେଳ ସାଇଡକୁ ମଧ୍ୟ ଭଡ଼ା ସୂତ୍ରରେ ଦେଇ କର୍ତ୍ତୃପକ୍ଷ ଅର୍ଥ ରୋଜଗାର କରୁଥିବା ବେଳେ ବିସ୍ଥାପିତ ଓ କର୍ମଚାରୀଙ୍କୁ ଦରମା ଦେଉନାହାନ୍ତି। ଫଳରେ ଗତ ମେ ମାସରେ କର୍ମଚାରୀମାନେ କଳିଙ୍ଗନଗର ଏଡିଏମଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଆଲୋଚନା କରିଥିଲେ। କର୍ମଚାରୀଙ୍କ ବେସିକ ଦରମା ଦେବାକୁ କାରଖାନା କର୍ତ୍ତୃପକ୍ଷ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ୩ ମାସ ବିତି ଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପାଳନ କରାଯାଇନାହିଁ। କର୍ମଚାରୀମାନେ ଦରମା ପାଉନାହାନ୍ତି। ଏହାର ପ୍ରତିବାଦରେ ଗତ ୨୮ ତାରିଖ ଠାରୁ କାରଖାନା ସମ୍ମୁଖରେ ବିସ୍ଥାପିତ ଓ କର୍ମଚାରୀମାନେ ଆନ୍ଦୋଳନରେ ବସି ରହିଛନ୍ତି। କାରଖାନାର ଉଭୟ ମୁଖ୍ୟ ଓ ମେଟେରିଆଲ ଗେଟ୍ ସାମନାରେ ଆନ୍ଦୋଳନ ଜାରି ରହିଛି। ତୁରନ୍ତ କାରଖାନା ଚଳାଇବା ସହ ଦରମା ପ୍ରଦାନ କରିବାକୁ କର୍ମଚାରୀମାନେ ଅଡ଼ି ବସିଛନ୍ତି। ହେଲେ ଏପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ସହ ଆଲୋଚନା କରିନାହାନ୍ତି। ତୁରନ୍ତ ପ୍ରତିଶ୍ରୁତି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବବୋଲି କର୍ମଚାରୀ ଓ ବିସ୍ଥାପିତମାନେ ଚେତାବନୀ ଦେଇଛନ୍ତି।
The post ମେସ୍କୋ କାରଖାନା ବନ୍ଦକୁ ୧୯ ମାସ ବିତିଲା, ଜମିହରାଙ୍କ କାରଖାନା ଆଗରେ ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/2Y1yjP1
0 Comments