ବିଷମକଟକ : ରାୟଗଡ଼ା ଜିଲ୍ଲାର ବିଷମକଟକ ତଥା ଆଖପାଖ ଅଞ୍ଚଳରେ ଅଜଣା ଜ୍ବର ବ୍ୟାପିଛି। ବହୁ ଲୋକ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଏବଂ ଘରେ ଚିକିତ୍ସିତ ହେଉଛନ୍ତି। ରୋଗ ଚିହ୍ନଟ ହୋଇପାରି ନ ଥିବାବେଳେ ଡେଙ୍ଗୁ ଲକ୍ଷଣ ରହିଥିବା କୁହାଯାଉଛି। ତେଣୁ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍‌ପିଟାଲରେ କିଛି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ବିଷମକଟକ ବଡ଼ସାହିର ଶେଣ ଟାକ୍ରି କିଛିଦିନ ହେବ ଜ୍ବରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି ହୋଇଥିଳେ। ତେବେ ଚିକିତ୍ସା ସମୟରେ ତାଙ୍କ ଶରୀରରେ ପେଟଲେଟ୍ ପରିମାଣ କମି ଯିବାରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ତେଣୁ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। କିନ୍ତୁ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ସାହିର ବହୁ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଦେହରେ ଡେଙ୍ଗୁ ଲକ୍ଷଣ ରହିଥିବାର ଆଶଙ୍କା କରି ଶନିବାର ଦିନ ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ବିଷମକଟକ ବଡ଼ସାହିରେ ପହଞ୍ଚିଥିଲେ। ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ସହ ପରୀକ୍ଷା ନିମନ୍ତେ ପଠାଇଛନ୍ତି। ସେହିପରି, ଝିଗିଡ଼ି ଗ୍ରାମରେ ମଧ୍ୟ ବହୁ ଲୋକ ଜ୍ବରରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ଜ୍ବର ବ୍ୟାପିବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ବାସ୍ଥ୍ୟ ବିଭାଗ କିମ୍ବା ଅନ୍ୟ କୌଣସି ବିଭାଗ ଦ୍ବାରା ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉନାହିଁ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ନିଜ ନିଜର ଦାୟିତ୍ବକୁ ସୂଚାରୁ ରୂପେ ପରିଚାଳନା ନ କରି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ।

The post ବିଷମକଟକ‌ରେ ଅଜଣା ଜ୍ୱର, ଜଣେ ମୃତ, ଅନେକ ଆକ୍ରାନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3lfACpH