
କଟକ/ଜଗତ୍ପୁର : ଦନ୍ତାହାତୀର ମୃତଦେହ ଉଦ୍ଧାର ପାଇଁ ନାକେଦମ୍ ହେଲାଣି ବନବିଭାଗ। ଗତକାଲିଠାରୁ ଯଦିଓ ମୃତଦେହ ମିଳିସାରିଛି, କିନ୍ତୁ ତାକୁ ଉଦ୍ଧାର କରିବା ପାଇଁ ୩୬ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଛି। ସୋମବାର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ତେବେ ଦିନତମାମ ହାତୀର ମୃତଦେହ ଉଦ୍ଧାର ନେଇ ଅପରେସନ୍ ଜାରି ରହିଥିବା ବେଳେ ରାତି ପ୍ରାୟ ୭ଟା ବେଳକୁ ଦନ୍ତାହାତୀର ମୃତଦେହକୁ ଡଙ୍ଗା ଓ ଜେସିବି ସାହାଯ୍ୟରେ ଭିଡା ଯାଇ ବାରଗୋଡିଆ ଡିହସାହିସ୍ଥିତ ଏକ ପୀଠ ନିକଟରେ ରଖାଯାଇଛି। ଆଜି ସକାଳେ ଶବବ୍ୟବଚ୍ଛେଦ କରାଯିବା ସହ ଦାନ୍ତକୁ କଟାଯାଇ ଟ୍ରେଜେରିକୁ ପଠାଯିବ। ହାତୀର ମୃତଦେହକୁ ପୋତି ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ବର୍ଷା, କାଦୁଅ ଏବଂ ଏପଟେ ହାତୀ ଉଦ୍ଧାର ସମୟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ଅଗ୍ନିଶମ କର୍ମଚାରୀ, ବନକର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଗତକାଲି ରାତିତମାମ ଓ ଆଜି ମଧ୍ୟ ସ୍ଥାନୀୟ ଲୋକ, ପୁଲିସ ଓ ବନବିଭାଗ କର୍ମଚାରୀ ହାତୀର ମୃତଦେହକୁ ଜଗି ରହିଛନ୍ତି। ହାତୀର ଦାନ୍ତ ଯେଭଳି କଟାଯିବା ପର୍ଯ୍ୟନ୍ତ ଅକ୍ଷତ ରୁହେ ତାହାକୁ ନେଇ ବନବିଭାଗ ଚିନ୍ତାରେ ଅଛି।

ଗତ ୨୪ ତାରିଖ, ଶୁକ୍ରବାର ଦିନ ମହାନଦୀ ପାରି ହେଉଥିବା ବେଳେ ମୁଣ୍ଡଳୀ ବ୍ରିଜ୍ ତଳେ ୨୦ ବର୍ଷର ଦନ୍ତାହାତୀ ଫସି ଯାଇଥିଲା। ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ବୋଟ୍ରେ ଯାଇଥିବା ବେଳେ ବୋଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ବୋଟ୍ରେ ଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍ର ବୁଡ଼ାଳି ସୀତାରାମ ମୁର୍ମୁଙ୍କ ମୁତ୍ୟୁ ଘଟିଥିଲା। ଘଟଣାଦିନ ରାତିରେ ହିଁ ବନ ବିଭାଗ ଉଦ୍ଧାର ଅପରେସନ୍ ଜାରି ରଖିଥିଲା ଓ ହାତୀ ପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ହାତୀର ମୃତଦେହ ମିଳି ନଥିବା କାରଣରୁ ବନବିଭାଗ ହାତୀର ମୃତ୍ୟୁ ନେଇ ସ୍ପଷ୍ଟ କରି ନ ଥିଲା। ଗତକାଲି ଯୋବ୍ରା ଆନିକଟର ୨୪ନମ୍ବର ଗେଟ୍ ନିକଟରେ ହାତୀର ମୃତଦେହ ଲାଗିଥିଲା। ତାକୁ ଗେଟ୍ ଖୋଲାଯାଇ ଜଗତ୍ପୁର ପଟକୁ ଛାଡି ଦିଆଯାଇଥିଲା। ଗତକାଲି ରାତିରେ ମହାନଦୀର ସାତବାଟିଆ ପଶ୍ଚିମକଚ୍ଛ ଘାଟକୂଳ ନିକଟ ଏକ ଟାପୁରରେ ହାତୀକୁ ବାନ୍ଧି ଜଗିଥିଲେ ବନକର୍ମଚାରୀ। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
କୁହାଯାଏ ଯେ ହାତୀ ପାଣିରେ ଭଲ ପହଁରି ପାରେ। କିନ୍ତୁ ଥରେ ଯଦି ପାଣିରେ ପଡିଗଲା ସେଠାରୁ ଉଠିବା ମୁସ୍କିଲ। ସେଭଳି ସ୍ଥିତିରେ ହାତୀର ଜୀବନ ଚାଲିଯିବାର ସମ୍ଭାବନା ଅଧିକ। ସେଥିରେ ସେ ଶ୍ବାସରୁଦ୍ଧ ହୋଇଯାଏ। ଯେ ପର୍ଯ୍ୟନ୍ତ ପ୍ରଖର ସ୍ରୋତରେ ବି ହାତୀ ଛିଡା ହୋଇ ରହିଥିବ ଓ ତାର ଶୁଣ୍ଢ ଟେକି ଥିବ ସେ ପର୍ଯ୍ୟନ୍ତ ତାର କ୍ଷତି ସମ୍ଭାବନା କମ୍। ଅନ୍ୟପଟେ ମହାନଦୀ ପାର୍ ହୋଇ ହାତୀପଲ ଯିବା କିଛି ନୂଆ କଥା ନୁହେଁ। ବର୍ଷ ତମାମ ଏହା ତାଙ୍କର ଏକ ସୁରକ୍ଷିତ କରିଡର କୁହାଯାଇଥାଏ। ଏପରିକି ଭରା ପାଣିରେ ବି ଛୁଆଙ୍କୁ ପିଠିରେ ପକାଇ ହାତୀ ପଲ ମହାଦନୀ ପାରି ହୋଇଥାନ୍ତି। ହେଲେ ସେଦିନର ଘଟଣା ଯେଉଁ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କଲା ତାହାକୁ ନେଇ ଏବେ ବି ହଟଚମଟ ଚାଲିଛି। ଏଭଳି ଘଟଣାର ତର୍ଜମା କରାଯିବା ସହିତ ଏଭଳି ଘଟଣା ପଛରେ କାରଣ ଖୋଜାଯିବ ଓ କର୍ମଚାରୀଙ୍କୁ ସଚେତନ କରାଯିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
The post ଦନ୍ତାହାତୀର ମୃତଦେହ ଉଦ୍ଧାର ପାଇଁ ନାକେଦମ୍ first appeared on Sambad.from ଜିଲ୍ଲା | Sambad https://ift.tt/3kOsyxf
0 Comments