ସମ୍ବଲପୁର : ବରଗଡ଼ ଜିଲ୍ଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଓଡ଼ିଶା ପୁଲିସ ମାନବାଧିକାର ସୁରକ୍ଷା ଭୁଲିଗଲାଣି। ନିଜ ଦାୟିତ୍ବକୁ ଭୁଲି ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ବିଜେପି। ଗୁରୁବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଜେପି ନେତା ଓ ଜନ ପ୍ରତିନିଧିମାନେ ସମ୍ବଲପୁରରେ ଏକାଠି ହୋଇଥିଲେ। ଗୋବିନ୍ଦଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବରଗଡ଼ ସାଂସଦ ସ‌ୁରେଶ ପୂଜାରୀଙ୍କ ନେତୃ୍ତ୍ବରେ ବିଜେପି ନେତାମାନେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ବି‌ଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି, ବରଗଡ଼ ଜିଲ୍ଲା ତୋରା ଗ୍ରାମର ଦଳିତ ଯୁବକ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ସମଗ୍ର ଓଡ଼ିଶାର ବିବେକକୁ ଦୋହଲାଇ ଦେଇଛି। ଏହି ହାଜତ ମୃତ୍ୟୁ ଘଟଣାରେ ଜନତା ପୁଲିସକୁ କାଠଗଡ଼ାରେ ଠିଆ କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ପୁଲିସ କର୍ମଚାରୀମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ (କ)ରେ ଅପରାଧିକ ମାମଲା ରୁଜୁ ହେବା ଉଚିତ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବିଜେପି ଏହି ଅମାନବୀୟ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମୃତ ଗୋବିନ୍ଦଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ପ୍ରଦାନ ଓ ସୁ୍ପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ଅନୁଯାୟୀ ମୃତ ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ପର୍ଯ୍ୟାପ୍ତ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବିପତ୍ରରେ ବିଜେପି ଉଲ୍ଲେଖ କରିଛି।

ଦାବିପତ୍ର ଦେବା ବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାୟକ, ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ, ବରଗଡ଼ ଜିଲ୍ଲା ପରିଷଦ ସଭାପତି ମୁକ୍ତା ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଭାରତୀ ମହାନନ୍ଦ, ସୋନପୁର ଜିଲ୍ଲା ପରିଷଦ ସଭାପତି ଉଷା କୁମାରୀ ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆର୍‌ଡିସିଙ୍କ ଅନୁପସ୍ଥିତିରେ ତାଙ୍କ ସଚିବ ଦାବିପତ୍ର ଗ୍ରହଣ କରିଥିଲେ।

The post ବରଗଡ଼ ହାଜତ ମୃତ୍ୟୁ ଘଟଣା: ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/2Y4jDi6