ବାଉଁଶୁଣି : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୋଛାପଡ଼ା ପଞ୍ଚାୟତ ଥପାପାଲି-ମଲ୍ଲିକପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଥିବା ଜାମୁନାଳି ସେତୁର ପୋଲଗୁଡ଼ିକୁ ଗତ ଜୁଲାଇ ମାସ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭସାଇ ନେଇଥିଲା। ଫଳରେ ଗ୍ରାମବାସୀ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ତାଙ୍କ ଗୁହାରି କେହି ଶୁଣି ନଥିଲେ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଏକ ଅସ୍ଥାୟୀ କାଠପୋଲ ତିଆରି କରି ଯିବାଆସିବା କରୁଥିଲେ।

କିନ୍ତୁ ଗତ ଦୁଇ ଦିନ ପୂର୍ବରୁ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଏହି କାଠ ପୋଲଟିକୁ ପୁରାପୁରି ଭସାଇ ନେଇଛି। ଏଭଳି ପରିସ୍ଥିତିରେ ମଲ୍ଲିକପଡା ଗ୍ରାମବାସୀ ବର୍ତ୍ତମାନ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛନ୍ତି। କାରଣ ଏପଟେ ମଲ୍ଲିକପଡା-ଅଁଳାଝୁଲି ରାସ୍ତାର ବରନାଳି ଯୋରର ପୋଲ ଭାଙ୍ଗି ଥିବା ବେଳେ ସେପଟେ ମଲ୍ଲିକପଡା-ବିଜାପଦର ରାସ୍ତାରେ ସେତୁ ନଥିବା ମହୁଲସୁଖା ନାଳରେ ଅକାତକାତ ପାଣି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

The post କାଠପୋଲ ଭରସା ଥିଲା, ଲଘୁଚାପ ଧୋଇନେଲା; ମଲ୍ଲିକପଡ଼ା ବାହ୍ୟ ଜଗତରୁ ବିଛିନ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3luZgm9