
କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ବିରଞ୍ଚିଙ୍କୁ ଜାମିନରେ ଛାଡିବେ। ଜାମିନରେ ଯିବାପରେ ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରଞ୍ଚିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିରଞ୍ଚିଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ବିରଞ୍ଚିଙ୍କୁ ଗିରଫ କରିଥିଲା। ବିରଞ୍ଚିଙ୍କ ୩ କୋଟି ୫୧ ଲକ୍ଷ ୫୧ ହଜାର ୯୨୧ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ତଦନ୍ତ ସମୟରେ ଜଣାପଡିଥିଲା। ଆୟ ବହିର୍ଭୂତ ସଂପତ୍ତି ଠୁଳ ପାଇଁ ବିରଞ୍ଚିଙ୍କୁ ତାଙ୍କ ପତ୍ନୀ ଓ ସଢୁ ସହାୟତା କରିଥିବା ଅଭିଯୋଗ ହୋଇଥିଲା। ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା। ୨୦୨୧, ଅଗଷ୍ଟ ୧୮ରେ ବିରଞ୍ଚିଙ୍କ ପତ୍ନୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଥିଲା। ଅନ୍ୟପକ୍ଷରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବାପରେ ବିରଞ୍ଚି ହାଇକୋର୍ଟରେ ଆବେଦନ କରିଥିଲେ। ବିରଞ୍ଚିଙ୍କ ପକ୍ଷରୁ ଆଇନଜୀବୀ ସ୍ମୃତିରଂଜନ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
The post ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା: ପିଏସ୍ ବିରଞ୍ଚିଙ୍କୁ ଜାମିନ ମିଳିଲା first appeared on Sambad.from ଜିଲ୍ଲା | Sambad https://ift.tt/3lSnvLA
0 Comments