
ରାଉରକେଲା: ଜାଗା ବିବାଦରେ ଅଟକି ଥିବା ବହୁ ପ୍ରତୀକ୍ଷିତ ପାନପୋଷ ବାଲୁଘାଟସ୍ଥିତ ହୋଲ୍ସେଲ୍ କୃଷକ ବଜାର ପୁଣି ଆରମ୍ଭ ହେବାକୁ ଯାଉଛି। ୧୩ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଥିବା ହୋଲ୍ସେଲ୍ ବଜାର କେବଳ ଅଧପନ୍ତରିଆ ପାରେରୀରେ ସୀମିତ ରହିଛି। ଜିଲ୍ଲା ପ୍ରଶାସନ ବିସ୍ଥାପିତଙ୍କ ସହ ଆଲୋଚନା କରି ପୁଣି ମାର୍କେଟ ନିର୍ମାଣ କାମ ଆରମ୍ଭ କରିବାକୁ ଯାଉଛି। ୯୦ କୋଟି ଟଙ୍କାରେ ପ୍ରକଳ୍ପର ବିସ୍ତୃତ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ହୋଇସାରିଛି। ଆବଶ୍ୟକ ପାଣ୍ଠି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଯୋଗାଇ ଦିଆଯିବ।
ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କାମ ହାତକୁ ନେଇଛି। କିନ୍ତୁ ନିର୍ମାଣ କାମ କେବେ ଆରମ୍ଭ ହେବ, କିଛି ସ୍ପଷ୍ଟ ହୋଇ ନାହିଁ। ସେପଟେ ବିସ୍ତାପିତଙ୍କ ଅନୁରୋଧ କ୍ରମେ ଜାତୀୟ ଅନୁସୂଚିତ ଜନଜାତି କମିଶନ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖିବାକୁ ଜିଲ୍ଳା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଗତ ପ୍ରାୟ ଦେଢ଼ ବର୍ଷ ତଳେ ପାଚେରୀ ନିର୍ମାଣ କାମକୁ ବସ୍ଥାପିତ ସଂଘ ପକ୍ଷରୁ କଡା ବିରୋଧ କରାଯାଇଥିଲା। ପ୍ରଶାସନ ବିସ୍ଥାପିତଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଫଳରେ ପାଚେରୀ ନିର୍ମାଣ କାମ ଅଧାରୁ ବନ୍ଦ ହୋଇଯାଇଥିଲା।
ଏବେ ଜିଲ୍ଲା ପ୍ରଶାସନ ୯୦ କୋଟି ଟଙ୍କା ଖର୍ଚ୍ଚ କରି ହୋଲ୍ସେଲ୍ କୃଷକ ବଜାର ନିର୍ମାଣ କରିବାକୁ କେତେଦୂର ସଫଳ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ପାନପୋଷ ବାଲୁଘାଟର ୧୩ ଏକର ପରିମିତ ଜାଗାରେ ଗତ ୨୦୧୪ରେ ହୋଲ୍ସେଲ୍ କୃଷକ ବଜାର ପାଇଁ ଶିଳାନ୍ୟାସ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୮ କୋଟି ଟଙ୍କା ମିଳିଥିଲା। ବର୍ଷକ ତଳେ ପାଚେରୀ ନିର୍ମାଣ କାମ ହୋଇଥିଲା। ବିବାଦୀୟ ଜାଗାରେ ସମାଧାନ କରି ପ୍ରକଳ୍ପକୁ ଆଗେଇ ନେବାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଅବା ଆର୍ଏସ୍ପି ପକ୍ଷରୁ ସେତେଟା ଗୁରୁତ୍ବ ଦେଇନଥିଲେ। ଫଳସ୍ବରୂପ ଅତ୍ୟାବଶ୍ୟକ ଜିନିଷ ଗୋଦାମ, ହୋଲ୍ସେଲ୍ ପରିବା, ମାଛ ମାର୍କେଟ ସହର ଭିତରକୁ ଉଠି ଆସି ପାରୁ ନଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସ୍ମାର୍ଟସିଟିରେ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ପ୍ଲାଣ୍ଟସାଇଟ୍ ହୋଲ୍ସେଲ୍ ମଣ୍ଡିରେ ସ୍ଥିତି ଜଟିଳ ହୋଇ ପଡୁଛି।
The post ନିର୍ମାଣ ହେବ ଅଟକିଥିବା ହୋଲସେଲ୍ କୃ୍ଷକ ବଜାର, ପୁଣି ୯୦ କୋଟିର ଡିପିଆର୍ first appeared on Sambad.from ଜିଲ୍ଲା | Sambad https://ift.tt/39RK2m6
0 Comments