କବାଟବନ୍ଧ: ଚଣ୍ତିଖୋଲଠାରୁ ଡୁବୁରି ପର୍ଯ୍ୟନ୍ତ ୩୯ କିଲୋମିଟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଏଣେ ପୁରୁଣା ରାସ୍ତା ପ୍ରତି ଠିକାଦାରଙ୍କ ଅଣଦେଖା ଯୋଗୁଁ ତାହା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଯାଉଥିବା ଲୋକମାନେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଧୂଳିଧୂଆଁରେ କଲବଲ ‌ହୋଇଯାଉଛନ୍ତି। ଏହି ରାସ୍ତାକୁ ୬ ଥାକିଆ କରିବା ପାଇଁ ଗେମନ ଇଣ୍ତିଆ ଠିକା ସଂସ୍ଥାଠାରୁ ପେଟିରେ ଆଣି ଏମ୍ଏସ୍‌ଆଇଏଲ୍ ନାମକ ସଂସ୍ଥା କାମ କରୁଛି।

ଚୁକ୍ତି ଅନୁସାରେ ନୂତନ ରାସ୍ତା ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ପୁରୁଣା ରାସ୍ତାର ମରାମତି କରିବା ଦାୟିତ୍ବ ସଂପୃକ୍ତ ଠିକାସଂସ୍ଥାର। ମାତ୍ର ଏମ୍ଏସ୍‌ଆଇଏଲ୍ ପୁରୁଣା ରାସ୍ତାର ମରାମତି କରୁ ନଥିବାରୁ ଶହଶହ ଖାଲ ସୃଷ୍ଟି ହୋଇ ସେଥିରେ ପାଣି ଜମିରହୁଛି। ବ୍ରାହ୍ମଣୀ ସେତୁ ଉପର ପିଚୁ ଉଠିଯାଇଥିବାରୁ ଗାଡ଼ିମଟର ଚଳାଚଳରେ ଘୋର ଅସୁବିଧା ହେଉଛି। ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି।

ସଚେତନ ନାଗରିକ ମଞ୍ଚର ବହୁବାର ଆନ୍ଦୋଳନ ପରେ ବ୍ରାହ୍ମଣୀ ସେତୁର ମରାମତି କାର୍ଯ୍ୟ କରାଯାଇଥିଲା। ମରାମତି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଅନେକ ସ୍ଥାନରେ ପାଚେରି ଓ ଫୁଟ୍‌ପାଥ୍‌ର ସ୍ଲାବ୍ ଭାଙ୍ଗିଗଲାଣି। ଚାଲିଚାଲି ଯାଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ବିପଦସଙ୍କୁଳ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

The post ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥ ଶୋଚନୀୟ; ପୋଲ ଉପରେ ଖାଲ first appeared on Sambad.

from ଜିଲ୍ଲା | Sambad https://ift.tt/3z3So43