ବାରିପଦା: ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ମୟୂରଭଞ୍ଜର ସାମଗ୍ରୀକ ବିକାଶ ନିମନ୍ତେ ସେ ପ୍ରତିଶ୍ରୁତିବଦ୍ଧ। ଉଡାନ୍ ଯୋଜନାରେ ସାମିଲ ହୋଇଥିବା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଆସି କ୍ଷେତ୍ର ପରିଦର୍ଶନ କରିବେ। ୨୦୨୨ ସୁଦ୍ଧା ଏହି ଏୟାରଷ୍ଟ୍ରିପର କାମ ଆରମ୍ଭ ହେବ। ଖିଚିଂ, ବରେହିପାଣି, ଦେବକୁଣ୍ଡ ଏବଂ ସମୀବୃକ୍ଷ ଭଳି ଚାରି ପ୍ରମୁଖ ପର୍ଯ୍ୟଟନସ୍ଥଳର ବିକାଶ ନିମନ୍ତେ ବ୍ୟାପକ ଯୋଜନା ହୋଇଛି। ଜନଜାତି ଭାଇ ଭଉଣୀମାନେ ସଂଗ୍ରହ କରୁଥିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରିବଟାରେ ଆଉ ଶୋଷଣର ଶିକାର ହେବେ ନାହିଁ। ଟ୍ରାଇଫେଡ୍ ଜରିଆରେ ଜିଲ୍ଲାରୁ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରାଯିବ। ଆଜି ନିଜର ଦ୍ବିତୀୟ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରି ଏପରି ତଥ୍ୟ ପ୍ରଦାନ କରିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଜନଜାତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପ୍ରଥମ ବର୍ଷ ଭଳି ଦ୍ବିତୀୟ ବର୍ଷ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜ ବିକାଶ ଦାୟିତ୍ବ ନିଜେ ନେଇଥିବା କହିଛନ୍ତି। ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ନେଇ ତ୍ବରିତ ପଦକ୍ଷେପ ନିଆଯାଉଛି।

ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ଚାକୁଳିଆ ରେଳ ଲାଇନ ସହିତ ଅନ୍ୟାନ୍ୟ ବିଭିନ୍ନ ଯୋଜନା ରହିଛି। ନିଜେ ଜଳଶକ୍ତି ବିଭାଗର ମନ୍ତ୍ରୀପଦ ଦାୟିତ୍ବ ନେଇଥିବାବେଳେ ଜିଲ୍ଲାରେ ରହିଥିବା ବିଭିନ୍ନ ପୁରାତନ ବନ୍ଧର ପୁନରୁଦ୍ଧାର ନେଇ ଯୋଜନା ପ୍ରସ୍ତୁତ ହୋଇଛି। ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ ଜିଲ୍ଲାରେ ୩୬୫ ଦିନ ଜଳସେଚନ କରିପାରିବ। ମାତ୍ର ଝାଡଖଣ୍ଡ ସରକାରଙ୍କ ଅସହଯୋଗ କାରଣରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ରେଳ କ୍ଷେତ୍ରରେ ମଧ୍ୟ ଝାଡଖଣ୍ଡ ସରକାର ସହଯୋଗ କରୁନାହାନ୍ତି। ତେଣୁ ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ନିମନ୍ତେ ସେ ପ୍ରସ୍ତାବ ଦେଇଥିବା ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି। ସେହିଭଳି ବାଙ୍ଗିରିପୋଷି ଘାଟି ରାସ୍ତା ପ୍ରଶସ୍ତୀକରଣ ନେଇ ସେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଏନେଇ ପ୍ରସ୍ତାବ ରଖିଲେ ତୁରନ୍ତ ଏହି କାମ ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି ଶ୍ରୀ ଟୁଡୁ।

ସେହିପରି ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ଶ୍ରୀ ଟୁଡୁ କହିଛନ୍ତି। ଏଥିସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ଯେପରି ଜିଲ୍ଲାବାସୀ ପାଇପାରିବେ ସେନେଇ ସେ ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ଆୟୋଜିତ ରିପୋର୍ଟ କାର୍ଡ ଉନ୍ମୋଚନ ସମାରୋହରେ ସଂସଦୀୟ କ୍ଷେତ୍ର ପରାମର୍ଶଦାତା କମିଟିର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜ ପୂର୍ବ ଭାଗ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବରିଷ୍ଠ ବିଜେପି ନେତା ଜୀବନ ସାହୁ, ଛୋଟେଲାଲ ମହାନ୍ତ, ମୁଖପାତ୍ର କବି ବିଷ୍ଣୁ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ବିଜେପି ନେତା ନରୋତ୍ତମ ପାଣିଗ୍ରାହୀ, ଯୁବନେତା ଲକ୍ଷ୍ମଣ ତ୍ରିପାଠୀ, ପ୍ରଦୀପ ମହାନ୍ତି, ଦେବବ୍ରତ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

The post ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର, ଜିଲ୍ଲାରେ ପ୍ରତିଷ୍ଠା ହେବ ୧୪ଟି ଏକଲବ୍ୟ ବିଦ୍ୟାଳୟ first appeared on Sambad.

from ଜିଲ୍ଲା | Sambad https://ift.tt/3nfUSKk