
ବୈପାରିଗୁଡା: କର୍କଟ ରୋଗରେ ଆକ୍ରାନ୍ତ ଶାନ୍ତିଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ହେତୁ ଦୁଇ ବର୍ଷ ଧରି ନାହିଁ ନଥିବା ଯନ୍ତ୍ରଣା ଭୋଗି ଚାଲିଛନ୍ତି। ପ୍ରକାଶ ଥାଉ କି, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତ କାଣ୍ଡକିଗୁଡାର ଶାନ୍ତି ସଗରିଆ (୨୦) ଗତ ଦୁଇ ବର୍ଷ ତଳେ ମାସିକ ଧର୍ମ ସମୟରେ ପ୍ରବଳ ରକ୍ତସ୍ରାବ ହୋଇଥିବା ନେଇ ବୈପାରିଗୁଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ।
ତେବେ ଡାକ୍ତରଖାନାରେ ଦିଆଯାଇଥିବା ଔଷଧ ସେବନ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଲମତାପୁଟସ୍ଥିତ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡରକ୍ତ ତାଙ୍କୁ କୋରାପୁଟ ଯିବା ପାଇଁ ପରାମର୍ଶ ଦେଇଥିଲେ। କୋରାପୁଟ ଡାକ୍ତରଖାନାର ଔଷଧ କାମ କରିନଥିଲା ଏବଂ ରକ୍ତସ୍ରାବ ପୂର୍ବପରି ଅପରିବର୍ତ୍ତିତ ରହିଥିଲା। ତେଣୁ ଉତ୍ତମ ଚିକିତ୍ସା ଆଶା ନେଇ ନବରଙ୍ଗପୁର ସ୍ଥିତ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେମାନେ ପୁଣିଥରେ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରେଇବା ପାଇଁ ପରାମର୍ଶ ଦେଇଥିଲେ।
ଶାନ୍ତି ପୁଣିଥରେ କୋରାପୁଟ ମେଡିକାଲ ଫେରି ଆସିଥିଲେ। ତେବେ ଶାନ୍ତିର ବିଭିନ୍ନ ପରୀକ୍ଷା ପରେ ଗର୍ଭାଶୟରୁ କିଛି ମାଂସ କାଟି ପରୀକ୍ଷା ପାଇଁ ପଠେଇ ଥିଲେ। କିଛି ଦିନ ପରେ ପରୀକ୍ଷା ରିପୋର୍ଟରୁ ଜଣାପଡିଥିଲା ଯେ ଶାନ୍ତିର ଗର୍ଭାଶୟର ମୁଖ ଭାଗରେ କ୍ୟାନ୍ସର ହୋଇଛି। ଏହାର ଚିକିତ୍ସା ପାଇଁ କଟକ ବଡ଼ଡ଼ାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।
ତେବେ ଏଭଳି ଏକ ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଜାଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଦୁଇ ବର୍ଷ ତଳେ ଶାନ୍ତିର ବାପା ଚୈତନ୍ୟ ସଗରିଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବଡ଼ ଭଉଣୀ ବାହା ହୋଇ ଅନ୍ୟତ୍ର ରହୁଛି। ଘରେ ରୋଜଗାରକ୍ଷମ ବ୍ୟକ୍ତି କେହି ନଥିବାରୁ ସାନ ଭଉଣୀ କୁଲି କାମ କରି ପରିବାର ଚଳେଇବାର ଦାୟିତ୍ୱ ନେଇଛନ୍ତି। ବେଳେବେଳେ ଶାନ୍ତି ଚେତା ହରାଇ ବସୁଥିବାରୁ ତାର ଯତ୍ନ ନେବା ପାଇଁ ମା’ଙ୍କୁ ସବୁବେଳେ ପାଖେ ପାଖେ ରହିବାକୁ ପଡୁଛି।
ଏଭଳି ଅବସ୍ଥାରେ ଶାନ୍ତିକୁ କଟକ ନେଇ ଚିକିତ୍ସା କରାଇବା ପାଇଁ ସେମାନଙ୍କ ପାଖରେ ସମ୍ବଳ ନାହିଁ। ଏଣୁ ଚିକିତ୍ସା ପାଇଁ ସରକାରୀ ଅନୁଦାନ ସକାଶେ ପରିବାରର ଲୋକେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ସହାୟତାରେ ଶାନ୍ତିର ଚିକିତ୍ସା ପାଇଁ ବ୍ୟବସ୍ଥା କଲେ ଝିଅର ଜୀବନ ବଞ୍ଚିଯିବ ବୋଲି ମାଆ ଫୁଲମତି ସଗରିଆ ପ୍ରାର୍ଥନା କରିଛନ୍ତି।
The post କର୍କଟ ରୋଗରେ ଆକ୍ରାନ୍ତ ଶାନ୍ତି ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି, ଅର୍ଥ ସାଜିଛି ବାଧକ first appeared on Sambad.from ଜିଲ୍ଲା | Sambad https://ift.tt/3lW6RdZ
0 Comments