ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଶିକ୍ଷା ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ଶିକ୍ଷୟତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଦୁଇଜଣ ଲୁଟେରା ବାଇକ୍‌ରେ ଆସି ଭ୍ୟାନିଟି ବ୍ୟାଗ୍‌ରେ ଥିବା ଉକ୍ତ ଟଙ୍କା ଲୁଟିନେଇ ଫେରାର୍‌ ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶିସକେଲା ପଞ୍ଚାୟତ ଭୋଇପଡ଼ା ସିଙ୍ଗବାହାଲି ସ୍କୁଲରେ ସସ୍ମିତା ତାଣ୍ତି ଶିକ୍ଷୟିତ୍ରୀ ଅଛନ୍ତି। ସେ ଶନିବାର ସଇନ୍ତଳାସ୍ଥିତ ଏସ୍‌ବିଆଇ ଶାଖାରୁ ଦୁଇଲକ୍ଷ ଟଙ୍କା ଘର ତିଆରି ଋଣ ଉଠାଇଥିଲେ। ଟଙ୍କା ତକ ଭ୍ୟାନିଟି ବ୍ୟାଗ୍‌ରେ ରଖି ତାଙ୍କ ସ୍ବାମୀଙ୍କ ସହିତ ବାଇକ୍‌ରେ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବାଇକ୍‌ରୁ ଓହ୍ଲାଉଥିବା ସମୟରେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ଭ୍ୟାନିଟି ବ୍ୟାଗ୍‌ ଲୁଟି ନେଇ ଫେରାର ମାରିଥିଲେ। ଶ୍ରୀମତୀ ତାଣ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ବ୍ଲକ୍‌ ଛକ ଅଂଚଳରେ ଲାଗିଥିବା ସିସିଟିଭିର ଫୁଟେଜ୍‌କୁ ଆଧାର କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ତଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଜଣେ ନର୍ସଙ୍କଠାରୁ ଲୁଟେରାମାନେ ଦାମିକା ମୋବାଇଲ ଲୁଟି ନେଇ ଫେରାର ମାରିଥିଲେ।

The post ଶିକ୍ଷୟିତ୍ରୀଙ୍କଠାରୁ ୨ଲକ୍ଷ ଲୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3tPBlBU